ମୟୂରଭଞ୍ଜ : ୩୩୩ କରୋନା ପଜିଟିଭ, ୨ ମୃତ
- ମୋଟ ସଂକ୍ରମିତମାନଙ୍କ ସଂଖ୍ୟା ୩୧,୬୭୧କୁ ବୃଦ୍ଧି
- କେବଳ ଜୁନ୍ ମାସର ୯ ଦିନରେ ୩,୫୫୨ ଜଣ କୋଭିଡ଼-୧୯ ଭୂତାଣୁ ସଂକ୍ରମିତ ଓ ୯ ଦିନରେ ୧୨ ମୃତ
ବାରିପଦା : ଗତ ମେ ମାସର ୩୧ ଦିନରେ ଦୈନିକ ୩୭୫.୪୨ ହାରରେ ମୋଟ ୧୧,୦୮୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚଳିତ ଜୁନ୍ ମାସର ୯ ଦିନରେ ଦୈନିକ ୩୯୪.୬୭ ହାରରେ ମୋଟ ୩,୫୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ମେ ମାସରେ ଦୈନିକ ୨୯୯.୬୮ ହାରରେ ୯,୨୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଚଳିତ ଜୁନ ମାସର ୮ ଦିନରେ ଦୈନିକ ୩୮୨.୨୫ ହାରରେ ୩,୦୫୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ପୁଣି ମେ ମାସରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜୁନ ମାସର ୯ ଦିନରେ ୧୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ଏହି ସମୟରେ ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୬,୦୧୯ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ଘଂଟା ମଧ୍ୟରେ ୩୩୩ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ସାଙ୍ଗକୁ ଓଡ଼ିଶାରେ ପଚଂମ ସ୍ଥାନରେ ରହିଛି ଏବଂ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୧,୬୭୧ରେ ପହଁଚିଛି । ସେହିପରି ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରୁ ୮୭.୬୩ ପ୍ରତିଶତ ହାରରେ ୨୭,୭୫୨ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୧୨.୦୩ ପ୍ରତିଶତ ହାରରେ ୩,୮୧୧ ଜଣ ସକ୍ରିୟ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଂଟର ଓ କଟକ-ଭୁବନେଶ୍ୱରରେ ଚିକିତ୍ସା ହେଉଛନ୍ତି । ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଆଧାରରେ ଆଜି ଜିଲ୍ଲାରୁ ୪୫ ବର୍ଷର ପୁରୁଷ ଓ ୩୪ ବର୍ଷିୟା ମହିଳାଙ୍କୁ ମିଶାଇ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜିଲ୍ଲାରେ ୦.୩୩ ପ୍ରତିଶତ ହାରରେ ମୋଟ ୧୦୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟାନ୍ୟ କାରଣରୁ ୩ ଜଣଙ୍କର ଜୀବନ ଯାଇଥିବାର ଜଣାପଡ଼ିଛି । ସେହିପରି କେବଳ ଜୁନ ମାସର ୯ ଦିନରେ ଜିଲ୍ଲାରୁ ୩,୫୫୨ ଜଣ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଆଜି ପୂର୍ବାହ୍ନ ସୁଦ୍ଧା ୩,୦୫୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ।