ଦେଶରେ ଆଉ ୪୦,୧୩୪ କରୋନା ସଂକ୍ରମିତ ଚିହ୍ନଟ ଓ ୪୨୨ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦ ଟପିଛି । ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୫% ରହିଛି । ଦେଶରେ ସଂପ୍ରତି ଦୈନିକ ସଂକ୍ରମଣ ହାର ୨.୮୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୭% ରହିଥିବା ଜଣାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ମୋଟ ୪୬.୯୬ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ସେହି ସମୟ ମଧ୍ୟରେ ଦେଶରେ ୪୭.୨୨ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି। କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଭଳି ଦଶଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ଅଥବା ସ୍ଥିର ଅବସ୍ଥାରେ ରହିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢାଇ ଦେଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ସୋମବାର ଗତ ୨୪ଘଣ୍ଟାରେ ୪୦ହଜାର ୧୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୨୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୬ହଜାର ୯୪୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୬ଲକ୍ଷ ୯୫ହଜାର ୯୫୮କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୪ହଜାର ୭୭୩ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୮ଲକ୍ଷ ୫୭ହଜାର ୪୬୭ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୧୩ହଜାର ୭୧୮ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।