ଦେଶରେ ଆଉ ୩୯,୦୯୭ କରୋନା ସଂକ୍ରମିତ ଚିହ୍ନଟ ଓ ୫୪୬ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୦ ହଜାରରୁ କମି ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ କମ୍ ରହିଛି । ଦେଶରେ ଦୈନିକ ସଂକ୍ରମଣ ହାର ୨.୪% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୨୨% ହୋଇଛି । କରୋନାରୁ ଆରୋଗ୍ୟ ହାର ୯୭.୩୫% ହୋଇଛି । ଦେଶରେ ମୋଟ ୪୫.୪୫ କୋଟି ନମୁନା ଶୁକ୍ରବାର ସଂଧ୍ୟା ସୁଦ୍ଧା ପରୀକ୍ଷା କରାଯାଇସାରିଛି ।
ଶନିବାର ଗତ ୨୪ଘଣ୍ଟାରେ ୩୯ହଜାର ୦୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୮ହଜାର ୦୮୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୩ଲକ୍ଷ ୩୨ହଜାର ୧୫୯କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୦ହଜାର ୦୧୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୫ଲକ୍ଷ ୩ହଜାର ୧୬୬ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୮ହଜାର ୯୭୭ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।