ଦେଶରେ କମୁଛି କରୋନା : ଦିନକରେ ୫,୯୨୧ ସଂକ୍ରମିତ ଓ ୨୮୯ ମୃତ
ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଫଳରେ ଦୈନିକ ସଂକ୍ରିତଙ୍କ ସଂଖ୍ୟା କ୍ରମଶଃ ଖସିବାରେ ଲାଗିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଶହ ପାର ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଏହିକ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ୫, ୯୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କୋଭିଡ୍ ମାମଲା ୪,୨୯,୫୭,୪୭୭ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪,୨୩,୭୮.୭୨୧ ଜଣ ସୁସ୍ଥ ହୋଇଥିବାବେଳେ ୬୩,୮୭୮ ଜଣ ସଂକ୍ରମିତ ଏବେ ଚିକିତ୍ସାଧିନ ଅଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୮୯ ଜଣ ସଂକ୍ରମିତ କରୋନାରେ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଦେଶରେ ସମୁଦାୟ କୋଭିଡ ମୃତ୍ୟୁ ସଂଖ୍ୟା ୫,୧୪,୮୭୮ ରେ ପହଞ୍ଚିଛି । ସୂଚନା ଯେ, ଦେଶରେ ପ୍ରାୟ ୪ କୋଟି ୨୯ ଲକ୍ଷ ୫୭ ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୬୩୮୭୮ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୩ ଲକ୍ଷ ୭୮ ହଜାର ୭୨୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫ ଲକ୍ଷ ୧୪ ହଜାର ୮୭୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।