ଦେଶରେ ଆଉ ୧,୭୯, ୭୨୩ କରୋନା ସଂକ୍ରମିତ ଚିହ୍ନଟ ଓ ୧୪୬ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କୋରୋନା ସଙ୍କଟ ବଢ଼ିବାରେ ଲାଗିଛି । ଲଗାତର ଦେଶରେ କୋରୋନା ମାମଲା ବଢ଼ିବାରେ ଲାଗିଛି । ଏହାସହ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲାରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଉଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୪,୦୩୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୭୯ ହଜାର ୭୨୯ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪୬ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୫୬୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧,୩୩,୦୦୮ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୫୭ ଲକ୍ଷ ୭ ହଜାର ୭୨୭ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୪୫ ଲକ୍ଷ ୧୭୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୭ ଲକ୍ଷ ୨୩ ହଜାର ୬୧୯ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୩ ହଜାର ୯୩୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜାନୁଆରୀ ୯ ପର୍ଯ୍ୟନ୍ତ ସାରା ଦେଶରେ ୧୫୧ କୋଟି ୯୪ ଲକ୍ଷ ୫ ହଜାର ୯୫୧ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ଲକ୍ଷ ୬୦ ହଜାର ୯୭୫ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୯ କୋଟି ୧୫ ଲକ୍ଷ ୭୫ ହଜାର ୩୫୨ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଲକ୍ଷ ୫୨ ହଜାର ୭୧୭ କୋରୋନା ନମୁନା ପରୀକ୍ଷା କରାଯାଇଛି ।
ଅନ୍ୟପକ୍ଷରେ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ପାଞ୍ଚଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଏହି ବୈଠକରେ କୋଭିଡ ମାମଲାରେ ତୀବ୍ର ବୃଦ୍ଧି ଘଟିବା ଘଟଣାର ସମୀକ୍ଷା କରିବେ । ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ଡିଜିଟାଲ୍ ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ଗୁଜୁରାଟ ଏବଂ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ।