କରୋନା ମାମଲାରେ ବଡ଼ ଆଶ୍ୱସ୍ତିକର ! ଦେଶରେ ଆଉ ୫,୭୮୪ କରୋନା ସଂକ୍ରମିତ ଚିହ୍ନଟ ଓ ୨୫୨ ମୃତ
ବର୍ତ୍ତମାନ ସୁଦ୍ଧା ୪୧ ଓମିକ୍ରନ ଭାରିଆଣ୍ଟ ମାମଲା ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ କୋରୋନା ମାମଲାରେ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ହଜାର ୭୮୪ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୨ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୯୯୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୨,୪୬୩ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ଏଥିସହ ଦେଶରେ ବର୍ତ୍ତମାନ ସୁଦ୍ଧା ୪୧ ଓମିକ୍ରନ ଭାରିଆଣ୍ଟର ମାମଲା ଚିହ୍ନଟ ହୋଇସାରିଛି ।
ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ସୋମବାର ୨,୪୩୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୫୧ ଲକ୍ଷ ୯୭ ହଜାର ୦୩୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୨୦୩ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୩,୧୭୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪,୩୦୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୫୧,୧୬,୯୨୮ କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ୩୬,୨୮୧ କୋରୋନାର ସକ୍ରିୟ ମାମଲା ରହିଛି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୭ ଲକ୍ଷ ୩ ହଜାର ୬୪୪ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୪୧ ଲକ୍ଷ ୩୮ ହଜାର ୭୬୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୮୮ ହଜାର ୯୯୩ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୭୫ ହଜାର ୮୮୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଡିସେମ୍ୱର ୧୩ ପର୍ଯ୍ୟନ୍ତ ସାରା ଦେଶରେ ୧୩୩ କୋଟି ୮୮ ଲକ୍ଷ ୧୨ ହଜାର ୫୭୭ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୬ ଲକ୍ଷ ୯୮ ହଜାର ୬୦୧ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୫ କୋଟି ୭୬ ଲକ୍ଷ ୬୨ ହଜାର ୯୩୩ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷ ୯୦ ହଜାର ୪୮୨ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତର କମ୍ ରହିଛି ।