ଦେଶରେ ଆଉ ୩୪,୧୧୩ ନୂତନ କରୋନା ସଂକ୍ରମିତ ଚିହ୍ନଟ ଓ ୩୪୬ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଙ୍କଟ ଲଗାତର କମ୍ ହେବାରେ ଲାଗିଛି । ଗତ ରବିବାର ଅପେକ୍ଷା ସୋମବାର କରୋନା ମାମଲାରେ ହ୍ରାସ ଦେଖାଦେଇଛି । ଏହାସହ ମୃତ୍ୟୁ ମାମଲାରେ ମଧ୍ୟ ହ୍ରାସ ଘଟିଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ହଜାର ୧୧୩ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୬ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧,୯୩୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୫୮,୧୬୩ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧.୧୨ ପ୍ରତିଶତ ରହିଛି । ଗତକାଲି ଦେଶରେ ୪୪ ହଜାର ୮୭୭ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୬ ଲକ୍ଷ ୬୫ ହଜାର ୫୩୪ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୧୬ ଲକ୍ଷ ୭୭ ହଜାର ୬୪୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୭୮ ହଜାର ୮୮୨ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୯ ହଜାର ୧୧ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୧୩ ପର୍ଯ୍ୟନ୍ତ ସାରା ଦେଶରେ ୧୭୨ କୋଟି ୯୫ ଲକ୍ଷ ୮୭ ହଜାର ୪୯୦ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧ ଲକ୍ଷ ୬୬ ହଜାର ୯୯୩ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୫ କୋଟି ୧୮ ଲକ୍ଷ ୩ ହଜାର ୭୬୬ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୬୭ ହଜାର ୯୦୮ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧ ପ୍ରତିଶତରୁ ଅଧିକ ରହିଛି ।