ଦେଶରେ ଆଉ ୧୮,୭୯୫ କରୋନା ସଂକ୍ରମିତ ଚିହ୍ନଟ ଓ ୧୭୯ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୦୦ ଟପିଛି । ୨୦୧ ଦିନ ପରେ ଦେଶରେ ୨୦,୦୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା କଟକଣା କୋହଳ ହେବା ସତ୍ତ୍ବେ ମଧ୍ୟ ସଂକ୍ରମଣ କମ ହେବା ଏବେ ଭାରତ ସରକାରଙ୍କ ପାଇଁ ବଡ଼ ଉପଲବ୍ଧି ପାଲଟିଛି। ଦେଶରେ ମୃତ୍ୟୁହାର ୧.୩୩%। ଆରୋଗ୍ୟ ହାର ୯୭.୮୧% ଓ ସକ୍ରିୟ ଆକ୍ରାନ୍ତ ହାର ୦.୮୭% ରହିଛି।
ମଙ୍ଗଳବାର ଗତ ୨୪ଘଣ୍ଟାରେ ୧୮ହଜାର ୭୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨୬ହଜାର ୦୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୬ଲକ୍ଷ ୯୭ହଜାର ୫୮୧କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୭ହଜାର ୩୭୩ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୨୯ଲକ୍ଷ ୫୮ହଜାର ୦୦୨ଜଣ ସୁସ୍ଥ ହୋଇଥିବା ବେଳେ ୨ଲକ୍ଷ ୯୨ହଜାର ୨୦୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୭, ୭, ୦୮, ୬୩୬ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୧,୦୨,୨୨,୫୨୫ ଡୋଜ୍ ଟିକା।