ବାଲେଶ୍ୱର : ଦିନକରେ ୬୯ ସଂକ୍ରମିତ ଓ ୭୦ ସୁସ୍ଥ
ବାଲେଶ୍ୱର : ରାଜ୍ୟର ଅନ୍ୟାନ୍ୟ ଜିଲାରେ ସଂକ୍ରମଣ ହ୍ରାସ ପାଇ ଶୁନରେ ପହଞ୍ଚିଥିବା ବେଳେ ବାଲେଶ୍ୱରରେ ଦୈନିକ କରୋନା ସଂକ୍ରମଣ ହାର ୫୦ରୁ ନିମ୍ନକୁ ଆସୁନଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭୦ ଜଣ ସୁସ୍ଥ ହୋଇଛନ୍ତି ।
ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୮,୭୧୯ରେ ପହଞ୍ଚଥିବା ବେଳେ ଏବେ ସୁଦ୍ଧା ୩୭,୮୬୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତିି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅଦ୍ୟାବଧି କରୋନା ଜନିତ ମୃତ୍ୟୁ ସଂଖ୍ୟା୨୨୬ରେ ପହଞ୍ଚିଛି ବୋଲି ସରକାରୀ ୱେସାଇଟରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଜିଲାରେ ଚାଲିଥିବା ସାମୂହିକ ଟିକାକରଣ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲାର ୮୬ କେନ୍ଦ୍ରରେ ଆଜି ୧୯,୬୦୮ ଜଣ କୋଭିଡ ଟିକା ନେଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଦ୍ୟାବଧି ଜିଲାରେ ମୋଟ ୯, ୩୮,୯୪୦ ପାନ ଟିକା ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୬,୭୬,୫୪୦ ଜଣ ପ୍ରଥମ ପାନ ଓ ୨,୬୨,୪୦୦ଜଣ ଦ୍ୱିତୀୟ ପାନ ଟିକା ନେଇଥିବା ଜଣାପଡ଼ିଛି ।