ଆଜି ଦୈନିକ ସଂକ୍ରମଣରେ ବାଲେଶ୍ୱର ଆଗରେ, ୩୯୭ ସଂକ୍ରମିତ ଓ ୨୬୧ ସୁସ୍ଥ
ବାଲେଶ୍ୱର : ରାଜ୍ୟର ଅନ୍ୟାନ୍ୟ ଜିଲାରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇ ଚାଲିଥିବା ବେଳେ ବାଲେଶ୍ୱରରେ ପୁଣି ଉପରମୁହାଁ ହୋଇଛି । ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ଶେଷ ହୋଇ ଆସୁଥିବା ବେଳେ ବାଲେଶ୍ୱରରେ ସଂକ୍ରମଣ ହାର ଊର୍ଦ୍ଧ୍ୱମୁଖୀ ରହିବାକୁ ନେଇ ସବୁ ମହଲରେ ଆଲୋଡ଼ନ ଦେଖାଯାଇଛି । ଗତ ଦୁଇଦିନ ଧରି ଦୈନିକ ସଂକ୍ରମଣ ୪ଶହ ପାଖାପାଖି ଅର୍ଥାତ ୩୯୭ ରହିବା ଆଗାମୀ ଦିନରେ ଜିଲାର ସ୍ଥିତି ଜଟିଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୩୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ସହରର ସହଦେବଖୁଂଟାରୁ ୩ଜଣ, ଟୁଲଙ୍କସାହିରୁ ୨ଜଣ, ପୁରୁଣା ବାଲେଶ୍ୱରରୁ ୨ଜଣ, ଗୁଡିପଦାରୁ ୨ଜଣ, ଗୋପାଳଗାଁରୁ ୨ଜଣ, ଆଇଟିଆଇ ଛକରୁ ୨ଜଣ, ଚୌଧୁରୀସାହିରୁ ୨ଜଣ, ଭୋଇସାହିରୁ ୨ଜଣ, ଭାସ୍କରଗଞ୍ଜରୁ ୨ଜଣ, ଆଜିମାବାଦରୁ ୨ଜଣଙ୍କ ସମେତ ଅଙ୍ଗାରଗଡିଆ, ବାରବାଟି, ଚୁନଭାଟି, ଦେୱାନପାଟଣା, ଫକୀରମୋହନ ଗୋଲେଇ, କଚେରୀ ରୋଡ, ମଠସାହି, ପୋଲିସଲାଇନ, ସୁନହଟ, ତେଲେଙ୍ଗାସାହି, ଶୋଭାରାମପୁର ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ଦିନକରେ ବାଲେଶ୍ୱର ପୌରାଞ୍ଚଳରେ ମୋଟ ୩୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୩୬ଜଣ, ବାଲିଆପାଳ ବ୍ଲକରୁ ୪୬ଜଣ, ବସ୍ତା ବ୍ଲକରୁ ୧୨୨ଜଣ, ଭୋଗରାଇ ବ୍ଲକରୁ ୧୨ଜଣ, ଜଳେଶ୍ୱର ବ୍ଲକରୁ ୫ଜଣ, ଖଇରା ବ୍ଲକରୁ ୯ଜଣ, ନୀଳଗିର ବ୍ଲକରୁ ୫ଜଣ, ଔପଦା ବ୍ଲକରୁ ୪୮ଜଣ, ରେମୁଣା ବ୍ଲକରୁ ୧୬ଜଣ, ସଦର ବ୍ଲକରୁ ୧୩ଜଣ ଓ ସୋର ବ୍ଲକରୁ ୫୪ଜଣ ବ୍ୟକ୍ତି ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ନୂଆ ସଂକ୍ରମିତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି ।
ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୩,୩୧୪ରେ ପହଞ୍ଚଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୧ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲାରେ ମୋଟ ୩୦,୪୫୩ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏବେ ସକ୍ରିୟ ଥିବା ୨,୭୨୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨,୬୧୬ଜଣ ଗୃହ ସଙ୍ଗରୋଧରେ ଏବଂ ୧୧୧ଜଣ କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୯ରେ ସ୍ଥିର ରହିଥିବା ସରକାରଙ୍କ ୱେବସାଇଟରେ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ସାମୁହିକ ଟିକାକରଣ ବେଶ ତ୍ୱରାନ୍ୱିତ ହୋଇଥିବା ଦେଖିବାକୁ ମିଳିଛି । ଏବେ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ମୋଟ ୬,୩୧,୪୪୮ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୫,୦୬,୫୩୭ଜଣ ପ୍ରଥମ ଡୋଜ ଓ ୧,୨୪,୯୧୧ଜଣ ଦ୍ୱିତୀୟ ଡୋଜ ଟିକା ନେଇ ସାରିଥିବା ଜଣାପଡିଛି । ତେବେ ଏଥିରେ ୬୦ବର୍ଷରୁ ଉର୍ଦ୍ଧ୍ୱ ୨,୭୧,୬୮୯ଜଣ, ୪୫ରୁ ୬୦ବର୍ଷ ମଧ୍ୟରେ ୨,୬୧,୨୯୫ଜଣ ଓ ୧୮ରୁ ୪୪ବର୍ଷ ମଧ୍ୟରେ ୯୮,୪୬୪ଜଣ ଟିକା ନେଇଥିବା ସୂଚନା ମିଳିଛି ।