ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭.୪୧ଲକ୍ଷ ହେକ୍ଟର ଜମି ଅଣ-ଜଳସେଚିତ
ଭୁବନେଶ୍ୱର : ରାଜ୍ୟରେ ବହୁ ଜଳ ସେଚନ ପ୍ରକଳ୍ପ ହେଉଛି ବୋଲି ଘୋଷଣା ହେଉଥିଲେ ହେଁ ଏବେ ସୁଦ୍ଧା ୧୭.୪୧ଲକ୍ଷ ହେକ୍ଟର ଜମି ଅଣ-ଜଳସେଚିତ ହୋଇ ରହିଛି। ଯାହା ବର୍ଷା ଜଳ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ହେଲେ ଏବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ କେଉଁ ଜିଲାରେ କେତେ ଜମିରେ ଖରିଫ ଧାନ ଚାଷ ଅଗଷ୍ଟ ଶେଷ ସୁଦ୍ଧା ଆରମ୍ଭ ହୋଇନି ତାହା କୃଷି ବିଭାଗ ପାଖରେ ସୂଚନା ନାହିଁ।
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ କେଉଁ ଜିଲାରେ କେତେ ଜମିରେ ଖରିଫ ଧାନ ଚାଷ ଅଗଷ୍ଟ ଶେଷ ସୁଦ୍ଧା ଆରମ୍ଭ ହୋଇପାରିନାହିଁ ପ୍ରଶ୍ନର ଉତ୍ତର ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଅଗଷ୍ଟ ୨୮ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ହୋଇଥିବା ଖରିଫ ଧାନ ଚାଷ ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିଛନ୍ତି। ହେଲେ କେଉଁ ଜିଲାରେ କେତେ ଜମି ଅଛି ଏବଂ କେତେ ଜମିରେ ଧାନ ଚାଷ ହୋଇନି ତାହା ସୂଚନା ଦେଇନାହାନ୍ତି। ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ରାଜ୍ୟରେ ମୋଟ୍ ୬୧.୮୦ଲକ୍ଷ ହେକ୍ଟର ଚାଷ ଜମି ଅଛି। ୨୦୧୯-୨୦ ତଥ୍ୟ ଅନୁଯାୟୀ ରାଜ୍ୟରେ ୪୪.୩୮ଲକ୍ଷ ଜମିକୁ ଜଳ ସେଚନ କରାଯାଇଛି। ଅପରପକ୍ଷେ ଅଗଷ୍ଟ ୨୮ତାରିଖ ସୁଦ୍ଧା ୩୦ଟି ଜିଲ୍ଲାରେ ୩୩୧୩.୪୨ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଛି। ଏଥିରୁ ସବୁଠୁ ଅଧିକ ମୟୂରଭଞ୍ଜ ଜିଲାରେ ୨୮୧.୦୧ହେକ୍ଟର ଜମିରେ ଚାଷ ହୋଇଛି। ଗଜପତିରେ ସବୁଠୁ କମ୍ ୨୧.୬୭ହେକ୍ଟର ଜମିରେ ଧାନ ଚାଷ ହୋଇଛି।