ତିନି ଠାକୁରଙ୍କ ତିନି ରଥର ବିଶେଷତ୍ତ୍ୱ ! ତାଳଧ୍ଵଜ, ଦର୍ପଦଳନ, ନନ୍ଦିଘୋଷ

ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ଏହି ପବିତ୍ର ପର୍ବ ପଡ଼େ । ଓଡ଼ିଶାର ଏହା ଏକ ବଡ଼ ତଥା ମହତ୍ୱପୂର୍ଣ୍ଣ ପର୍ବ କହିଲେ ଅତୁ୍ୟକ୍ତି ହେବ ନାହିଁ । ଆୟୋଜନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ରଥ ଯାତ୍ରା ବେଶ୍ ଗୁରୁତ୍ୱ ବହନ କରେ । ଏହି ଦିନରେ ଶ୍ରୀମନ୍ଦିରୁ ସାମ୍ୟ ମୈତ୍ରୀର ପ୍ରତୀକ ଚତୁର୍ଦ୍ଧମୂରତି ରତ୍ନବେଦୀରୁ ଓହ୍ଲାଇ ଆସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏହି ନୀତି କାହିଁରୁ କେତେ ବର୍ଷର ପୁରୁଣା । ସେହିପରି ଭାବେ ରଥ ନିର୍ମାଣର ପରମ୍ପରା ବହୁ ବର୍ଷର ପୁରୁଣା । ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୂର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା । ତେବେ ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି । ତିନି ଠାକୁରଙ୍କ ତିନି ରଥ ! ଜାଣନ୍ତୁ ଏହାର ଖାସ୍ କଥା ……
ତାଳଧ୍ୱଜ ରଥ :
ଶ୍ରୀ ବଳଭଦ୍ରଙ୍କ ରଥ ତାଳଧ୍ୱଜ ନାମରେ ପରିଚିତ। ଏହାର ଉଚ୍ଚତା ୪୩ ଫୁଟ୍ ୩ଇଞ୍ଚ ଅଟେ। ୧୪ଟି ଚକା ଏବଂ ୭୬୩ ଖଣ୍ଡ କାଠରେ ତିଆରି ହୋଇଥାଏ ତାଳଧ୍ୱଜ ରଥ। ଏହି ରଥର ରଙ୍ଗ ନାଲି ଓ ସବୁଜ ରଙ୍ଗର ହୋଇଥାଏ। ତାଳଧ୍ୱଜ ରଥର ସାରଥୀ ଙ୍କ ନାଁ ହେଉଛି ଦାରୁକ। ଏହି ରଥର ଦଉଡ଼ି ବାସୁକୀ ନାମରେ ପରିଚିତ। ତାଳଧ୍ୱଜ ରଥର ନେତର ନାଁ ଉନ୍ନାନି ହୋଇଥିବା ବେଳେ ଏହାର ରକ୍ଷକ ହେଉଛନ୍ତି ବାସୁଦେବ। ରଥଯାତ୍ରାରେ ସର୍ବପ୍ରଥମେ ତାଳଧ୍ୱଜ ରଥକୁ ଟଣା ଯାଇଥାଏ।
ଦର୍ପଦଳନ ରଥ :
ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ବା ଦେବଦଳନ ନାମରେ ପରିଚିତ । ଏହାର ଉଚ୍ଚତା ୪୨ଫୁଟ୍ ୩ ଇଞ୍ଚ। ୧୨ଟି ଚକା ଏବଂ ୫୯୩ ଖଣ୍ଡ କାଠରେ ତିଆରି ହୋଇଥାଏ ଦର୍ପଦଳନ ରଥ। ଏହି ରଥର ରଙ୍ଗ ନାଲି ଓ କଳା। ଦର୍ପଦଳନ ରଥର ସାରଥୀଙ୍କ ନାଁ ଅର୍ଜୁନ ଏବଂ ରଥ ଦଉଡି ସ୍ୱର୍ଣ୍ଣଚୁଡ଼ ନାମରେ ପରିଚିତ। ଦର୍ପଦଳନ ରଥର ନେତର ନାଁ ନାଦମ୍ବିକା ହୋଇଥିବା ବେଳେ ଏହାର ରକ୍ଷକ ହେଉଛନ୍ତି ଜୟଦୁର୍ଗା। ଦର୍ପଦଳନ ରଥ ତାଳଧ୍ୱଜ ରଥ ପରେ ଟଣା ହୋଇଥାଏ।
ନନ୍ଦିଘୋଷ ରଥ :
ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ରଥ ନାମରେ ପରିଚିତ। ଏହାର ଉଚ୍ଚତା ୪୪ଫୁଟ୍ ୨ଇଞ୍ଚ ଅଟେ। ୧୬ଟି ଚକା ଏବଂ ୮୩୨ ଖଣ୍ଡ କାଠରେ ତିଆରି ହୋଇଥାଏ ନନ୍ଦିଘୋଷ ରଥ। ଏହି ରଥର ରଙ୍ଗ ନାଲି ଓ ହଳଦୀ ରଙ୍ଗର ହୋଇଥାଏ। ନନ୍ଦିଘୋଷ ରଥର ସାରଥୀଙ୍କ ନାଁ ମାତଳୀ ଏବଂ ରଥ ଦଉଡି ଶଙ୍ଖଚୁଡ଼ ନାମରେ ପରିଚିତ। ନନ୍ଦିଘୋଷ ରଥର ଧ୍ୱଜାର ନାଁ ତ୍ରୈଲୋକ୍ୟମାହିନୀ ହୋଇଥିବା ବେଳେ ଏହାର ରକ୍ଷକ ହେଉଛନ୍ତି ଗରୁଡ଼। ରଥଯାତ୍ରାରେ ଶେଷରେ ଟଣା ଯାଇଥାଏ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ।