ଶରଧାବାଲିରେ ତିନି ରଥ : ଭକ୍ତ-ଭଗବାନଙ୍କ ମିଳନ
ପୁରୀ : ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ଦୀର୍ଘ ଦୁଇ ବର୍ଷ ପରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ, ରଥ ଟାଣିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଭକ୍ତମୟ ହୋଇପଡିଛି ଶ୍ରୀକ୍ଷେତ୍ର, ଚଳଚଂଚଳ ହୋଇଉଠିଛି ଶରଧାବାଲି । ସଂନ୍ଧ୍ୟା ପୂର୍ବରୁ ତିନି ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚି ସାରିଛି । ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଛି ।
ସକାଳେ ପ୍ରଥମେ ସୁଦର୍ଶନ ମହାପ୍ରଭୁ ଏବଂ ପରେ ତିନି ଠାକୁର ରତ୍ନ ବେଦିରୁ ଧାଡ଼ି ପହଣ୍ଡିରେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଥିବା ରଥ ଉପରକୁ ବିଜେ କରିଥିଲେ । ପ୍ରଥମେ ପହଣ୍ଡିରେ ସୁଦର୍ଶନ ମହାପ୍ରଭୁ ଦର୍ପଦଳନ ରଥରେ ବିରାଜମାନ କରିଥିଲେ । ଏହାପରେ ତାଳଧ୍ୱଜରେ ରଥାରୁଢ଼ ହୋଇଥିଲେ ଶ୍ରୀ ବଳଭଦ୍ର । ଦର୍ପଦଳନରେ ରଥାରୁଢ଼ ହୋଇଥିଲେ ଦେବୀ ସୁଭଦ୍ରା । ଶେଷରେ ଟାହିଆ ହଲାଇ ଝୁଲି ଝୁଲି ଆସି ରଥାରୁଢ଼ ହୋଇଥିଲେ କାଳିଆ ସାଆନ୍ତ । ପରେ ପରେ ରଥ ଉପରେ ତିନି ଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ନିଜ ଅନୁଗାମୀଙ୍କ ସହ ରଥ ଉପରକୁ ଯାଇ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ଗୋବର୍ଦ୍ଧନ ମଠାଧିଶ ଶଙ୍କରାଚାର୍ଯ୍ୟ । ଗଜପତି ମହାରାଜାଙ୍କ ଛେରାପହଁରା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦିନ ୧୨ଟା ୩୦ ରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ୧ଟା ୫ ମିନିଟରେ ଆରମ୍ଭ ହୋଇଥିଲା । ସେହିପରି ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଘୋଡ଼ା ଯୋଚାଯିବା ପରେ ରଥଟଣା ୨ଟା ୧୫ରୁ ଆରମ୍ଭ ହୋଇଥିଲା । ଅପରାହ୍ନ ୨ଟା ୫୦ ରେ ଗଜପତିଙ୍କ ରଜାନଅର ଅତିକ୍ରମ କରିଥିଲା ନନ୍ଦିଘୋଷ ରଥ । ସଂନ୍ଧ୍ୟା ପୂର୍ବରୁ ତିନି ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଛି ।
ଜ୍ୱରରୁ ସୁସ୍ଥ ହେବା ପରେ ଆଜି ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରତ୍ନବେଦିରୁ ଜନ୍ମବେଦିକୁ ନବ ଦିନ ବ୍ୟାପୀ ଯାତ୍ରା କରିଛନ୍ତି ଜଗତର ନାଥ ଜଗନ୍ନାଥ । ପ୍ରଭାତରେ ଶ୍ରୀଜୀଉଙ୍କ ମଙ୍ଗଳାର୍ପଣ ବିଧି ସମ୍ପନ୍ନ, ରଥ ପ୍ରତିଷ୍ଠା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ପରେ ତିନି ଠାକୁର ରତ୍ନ ବେଦିରୁ ଧାଡ଼ି ପହଣ୍ଡିରେ ରଥ ଉପରକୁ ବିଜେ କରିଥିଲେ । ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନୀ, ଘଂଟ ଘଂଟା ନାଦରେ ପ୍ରକମ୍ପିତ ହୋଇଉଠିଥିଲା ବଡ଼ଦାଣ୍ଡ । ଅନ୍ୟପକ୍ଷରେ ଘୋଷ ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ଦୂରଦୂରନ୍ତରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ପୁରୀରେ ପହଂଚିବାରେ ଲାଗିଛନ୍ତି । ରଥଯାତ୍ରା ଉପଲକ୍ଷେ ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଷ୍ଟେସନ ନିକଟରେ ରେଳ ବିଭାଗ ପକ୍ଷରୁ ଅସ୍ଥାୟୀ ବିଶ୍ରାମାଗାରର ବ୍ୟବସ୍ଥା କରାଯାଇଛି । ତାଳବଣିଆ ଠାରେ ପୋଲିସ ରହଣି ଓ ଶ୍ରଦ୍ଧାଳୁଙ୍କ ରହଣି ନିମନ୍ତେ ବ୍ୟବସ୍ଥା କରାଯାଇଛି ।
ଘୋଷଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଳ, ସ୍ଥଳ ଓ ଆକାଶପଥ ଉପରେ ସିସିଟିଭି ଓ ପୋଲିସର ନଜର ରହିଛି । ସହର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାରେ ୧୮୦ ପ୍ଲାଟୁନ୍ ଫୋର୍ସ ଓ ୧୦୦୦ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୋଲିସ ମୁତୟନ ହୋଇଛନ୍ତି । ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ୍ ସଜାଗ ଅଛନ୍ତି । ରଥଯାତ୍ରାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଯେମିତି ଭଲ ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ ସେଥିପ୍ରତି ଯତ୍ନବାନ ରହିଛି ପୋଲିସ ବିଭାଗ । ସେହିପରି ତିନି ରଥର ସୁରକ୍ଷା ପାଇଁ ସଜାଗ ରହିଛନ୍ତି ତିନୋଟି ଫାୟାର୍ ଫାଇଟିଂ ଟିମ୍ । ରଥଯାତ୍ରା ସମୟରେ କୌଣସି ଅଘଟଣକୁ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀ ମୁତୟନ ହୋଇଛନ୍ତି ।