ସଲମାନ ଖାନ ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ, ପୋଲିସର ତଦନ୍ତ ଆରମ୍ଭ
ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ ଖାନ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସୋମବାର ମଧ୍ୟ ରାତ୍ରିରେ ପୁଣି ଥରେ ହତ୍ୟା ଧମକ ମିଳିଛି । କୌଣସି ଅଜଣା ବ୍ୟକ୍ତି ପୋଲିସ କଂଟ୍ରୋଲ ରୁମ୍ କୁ ଫୋନ୍ କରି ଏହି ଧମକ ଦେଇଛନ୍ତି । ଏହି ଧମକ ପରେ ପୋଲିସ ପକ୍ଷରୁ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କ ନମ୍ବରକୁ ଭିତି କରି ଏହାର ଲୋକେସନ ଖୋଜି ବାହାର କରିବା ସହ ସମ୍ପୃକ୍ତ ବ୍ୟକ୍ତିକୁ ହେପାଜତକୁ ନେଇଛି ମୁମ୍ବାଇ ପୋଲିସ । ପୋଲିସର ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସ କଂଟ୍ରୋଲ ରୁମ୍ କୁ ସଲମାନ ଖାନଙ୍କୁ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା । ଏହି ଧମକପୂର୍ଣ୍ଣ କଲ୍ ରେ ଅଜ୍ଞାତ ବ୍ୟକ୍ତି ଜଣକ କହିଥିଲେ ଯେ, ସେ ଅପ୍ରେଲ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବେ । ମୁମ୍ବାଇ ପୋଲିସ ଫୋନ୍ କରିଥିବା ବ୍ୟକ୍ତିଙ୍କ ବାବଦରେ ସୂଚନା ଏକାଠି କରୁଛି । ପ୍ରକାଶ ଥାଉକି, ଏହା ପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ଇ- ମେଲ୍ ଜରିଆରେ ଧମକ ମିଳିଥିଲା । ଏହି ଧମକପୂର୍ଣ୍ଣ ଇ-ମେଲ୍ ତାଙ୍କ ମ୍ୟାନେଜରଙ୍କ ମେଲ୍ କୁ ଆସିଥିଲା ।