ଚଳିତବର୍ଷ ୬.୫ ଲକ୍ଷ ଛାତ୍ରଛାତ୍ରୀ ଦେବେ ଦଶମ ବୋର୍ଡ ପରୀକ୍ଷା !
ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହେବ ଦଶମ ବୋର୍ଡ ପରୀକ୍ଷା । ଏହି ପରୀକ୍ଷା ମେ ୬ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତ ବାର୍ଷିକ ପରୀକ୍ଷାରେ ପ୍ରାୟ ୬.୫ ଲକ୍ଷ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । ତେବେ ଆସେସ୍ମେଣ୍ଟ-୨ ପରୀକ୍ଷା ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲ୍ରେ ଦେବାକୁ ନିର୍ଦ୍ଦେଶନାମା ହୋଇଥିବା ବେଳେ ଏଥିରେ ଅନ୍ୟ ବିଦ୍ୟାଳୟର ଶିକ୍ଷକମାନେ ନିୟୋଜିତ ହେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ଏଥିପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍କୁଲ୍ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ନାନା ଉପଯୋଗୀ ତଥ୍ୟମାନ ପ୍ରଦାନ କରାଯାଇଛି । ତେବେ ଗୋଟିଏ ପଟେ ଚଳିତ ଥର ରାଜ୍ୟରେ ଅଫ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଅପରପକ୍ଷେ ଗତଥର ଅନ୍ଲାଇନ୍ ପରୀକ୍ଷାରେ ୯୯ % ଫଳାଫଳ ହୋଇଥିବାରୁ ଚଳିତ ଥର ଲକ୍ଷାଧିକ ପିଲା ମାଟ୍ରିକ୍ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଭିଡିଓ ମେସେଜ୍ ମାଧ୍ୟମରେ ଜଣାଇଥିଲେ ଯେ, ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ହାଜର ହେବା ବାଧ୍ୟତାମୂଳକ । ତେବେ ଅଫଲାଇନ୍ ମୋଡରେ ପରୀକ୍ଷା ନିଷ୍ପତ୍ତି ପୂର୍ବରୁ ଛାତ୍ର ଓ ଅଭିଭାବକଙ୍କ ସମେତ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା ପରେ ସମସ୍ତ ସ୍କୁଲ୍କୁ ଚିଠି କରାଯାଇଥିଲା ବୋଲି ସେ କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ବିକଳ୍ପ ମୂଲ୍ୟାଙ୍କନ ବ୍ୟବସ୍ଥା କରି ପିଲାମାନଙ୍କର ମାନସିକ ଚାପକୁ କମାଇବା ପାଇଁ ଉଦ୍ୟମ ଜାରି ରହିଛି । ଯଦିଓ, ଯଦି ନିଜ ବିଦ୍ୟାଳୟରେ ପରୀକ୍ଷାର ଆଚରଣ ସମ୍ଭବ ନୁହେଁ, ତେବେ ନିକଟସ୍ଥ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ହାଜର ହେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।