ଏଥର ଛାତ ଉପରେ ଛିଡ଼ା ହୋଇ ଦେଖି ପାରିବେ ନାହିଁ ରଥଯାତ୍ରା
ପୁରୀ : ଗତ ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡ ଲୋକଙ୍କୁ ରଥଯାତ୍ରା କଟକଣାରେ ବିଶେଷ କିଛି କୋହଳ କରାଯାଇନାହିଁ । ଗତବର୍ଷ ରଥଯାତ୍ରା ସମୟରେ ପୁଲିସ ପ୍ରଶାସନ କାହାରିକୁ ଘରୁ ବାହାରିବାକୁ ଦେଉନଥିଲା । ଛାତ ଉପରେ ଛିଡ଼ା ହୋଇ କେହି ବି ରଥଯାତ୍ରା ଦେଖି ପାରିନଥିଲେ । ଯେଉଁମାନେ ଦେଖିବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା । ଚଳିତବର୍ଷ ବି ଏହି କଟକଣା ଜାରି ରହିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବଡ଼ଦାଣ୍ଡରେ ଯେଉଁମାନଙ୍କ ଘର ରହିଛି, ସେମାନେ ନିଜ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ । ବିଶୃଙ୍ଖଳିତ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଳାପାଳ ସମର୍ଥ ବର୍ମା କହିଛନ୍ତି । ପୂର୍ବରୁ ନିଜ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ଲୋକେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ହେଲେ ଏହି ନିଷ୍ପତିରେ ପରିବର୍ତନ କରାଯାଇଥିବା ଜିଲ୍ଳାପାଳ ସମର୍ଥ ବର୍ମା କହିଛନ୍ତି । ସୂଚନାଯୋଗ୍ୟ, ଆଗାମୀ ଜୁଲାଇ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଆଜି ଆସିପାରେ ଏସଓପି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା । ତେଣୁ ଅଣସରଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଂଟ ଉପରେ ମୋହର ବାଜିବ । ଅପରାହ୍ନ ସାଢେ ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକରେ ସମସ୍ତ ନିଯୋଗ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସାମିଲ ହେବେ ।