ଏଥର ଯୁକ୍ତ୨ ପାଇଁ ବଢ଼ିବ ସିଟ : ଗଣଶିକ୍ଷା ମନ୍ତ୍ରୀ
- କୌଣସି ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେବେନି : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଚଳିତବର୍ଷ ବିନା ପରୀକ୍ଷାରେ ରେକର୍ଡ ସଂଖ୍ୟକ ପାସ ହାର ରହିଥିବାରୁ ସେହି ହିସାବରେ କଲେଜରେ ସିଟ୍ ନଥିବା ତଥ୍ୟ ସାମ୍ନାକୁ ଆସିଥିଲା । ତେବେ ସମସ୍ୟାର ସମାଧାନ ଲାଗି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, କୌଣସି ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେବେନି । ସ୍ଥିତିକୁ ଦୃଷ୍ଟିରେ ରଖି ଯେଉଁଠି ଆବଶ୍ୟକ ପଡିବ ସେଠାରେ ସିଟ୍ ବୃଦ୍ଧି କରାଯିବ ।
ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏଥର ୧୦ରୁ ୩୦ ପ୍ରତିଶତ ସିଟ୍ ବୃଦ୍ଧି କରିବା ନେଇ ଚିନ୍ତା କରାଯାଉଛି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକ ଆଶ୍ୱସ୍ତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ସେପଟେ ଆସନ୍ତା ସପ୍ତାହରୁ ନାମଲେଖା ଆରମ୍ଭ କରିବାକୁ ଯୋଜନା କରାଯାଉଛି। ସୂଚନାନୁସାରେ, ରାଜ୍ୟରେ ଚଳିତବର୍ଷ ମାଟ୍ରିକ ପାସ୍ ହାର ସର୍ବାଧିକ ୯୭.୮୯% ରହିଛି । ହେଲେ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ଫଳରେ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ଆଶଙ୍କା କରିବେ ବୋଲି ଆଲୋଚନା ଜୋର ଧରିଥିଲା ।