ଏଥର ଦୁଇଟି ଗ୍ରୁପରେ ଆଇପିଏଲ ଲିଗ, ଖେଳାଯିବ ମୋଟ ୭୪ ମ୍ୟାଚ୍
ନୂଆଦିଲ୍ଲୀ : ଆଇପିଏଲର ୧୫ତମ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଏବଂ ଭାରତରେ ଅନୁଷ୍ଠିତ ହେବ । ଆଇପିଏଲ ଟୁର୍ଣ୍ଣାମେଣ୍ଟର ନୂଆ ଫର୍ମାଟ୍ ଓ ଗ୍ରୁପ୍ ବିଷୟରେ ସୂଚନା ଦିଆଯାଇଛି । ନୂଆ ନିୟମ ଅନୁସାରେ ଏଥର ଆଇପିଏଲ ୨ଟି ଗ୍ରୁପରେ ଖେଳାଯିବ । ଏଥର ଏହି ଲିଗ୍ ୧୦ଟି ଟିମକୁ ନେଇ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୬ରୁ ମେ ୨୯ ଯାଏଁ ଚାଲିବ ଏହି ଟୁର୍ଣ୍ଣାମେଂଟ । ଏହାଛଡ଼ା ଷ୍ଟାଡିୟମରେ ୪୦ ପ୍ରତିଶତ ଦର୍ଶକଙ୍କୁ ମଧ୍ୟ ଅନୁମତି ଦିଆଯିବ । ଗୁରୁବାର ଅନୁଷ୍ଠିତ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଥର ଦୁଇ ନୂଆ ଦଳ ଲକ୍ଷ୍ନୌ ସୁପରଜାଏଂଟ୍ସ ଏବଂ ଗୁଜରାଟ ଟାଇଟନ୍ସ ଆଇପିଏଲରେ ପଦାର୍ପଣ କରିବେ । ଫଳରେ ୧୫ତମ ସଂସ୍କରଣରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଂଟର ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖେଡେ, ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ ଓ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ସହ ପୁଣେର ଗାହୁଞ୍ଜେ ଷ୍ଟାଡିୟମରେ ଖେଳାଯିବ । ଗୁରୁବାର ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ଶ୍ରୀଲଙ୍କା ବିପକ୍ଷ ଭାରତର ଦ୍ୱିପାକ୍ଷିକ ସିରିଜର ୧୧ ଦିନ ପରେ ଅର୍ଥାତ୍ ଆଇପିଏଲର ପରବର୍ତୀ ସଂସ୍କରଣ ଆରମ୍ଭ ହେବ । ତେବେ ଫାଇନାଲ୍ ମ୍ୟାଚର ତାରିଖ ଘୋଷଣା କରାଯାଇନାହିଁ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ମାର୍ଚ୍ଚ ୧୫ ତାରିଖରେ ଶେଷ ହେବ । ଏହା ପରେ ଭାରତୀୟ ଖେଳାଳି ମାନେ ନିଜ ନିଜର ଫ୍ରାଞ୍ଚାଇଜି ସହ ଯୋଗ ଦେବା ପୂର୍ବରୁ କ୍ୱାରେଂଟାଇନରେ ରହିବେ । ଟୁର୍ଣ୍ଣାମେଂଟରେ ଏଥର ରେକର୍ଡ ୭୦ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ୫୫ଟି ମ୍ୟାଚ୍ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ପୁନେରେ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଆଇପିଏଲର ଫାଇନାଲ୍ ମେ’ ୨୯ ତାରିଖରେ ଖେଳାଯିବ । ତେବେ ଫାଇନାଲ୍ ଓ ପ୍ଲେଅଫ୍ ପାଇଁ ତାରିଖ ଓ ଭେନ୍ୟୁର ଘୋଷଣା କରାଯାଇନାହିଁ । କିନ୍ତୁ ରିପୋର୍ଟ ମୁତାବକ ଏସବୁ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇପାରେ । ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକରେ ମହାରାଷ୍ଟ୍ର ସରକାରଙ୍କ କୋଭିଡ୍ ଗାଇଡ ଲାଇନ୍ ମୁତାବକ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ । ଯଦି କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହେ ବା ସଂକ୍ରମଣ ଆହୁରି ହ୍ରାସ ପାଏ ତେବେ ଶେଷ ପର୍ଯ୍ୟାୟରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବା ଉପରେ ବିଚାର କରାଯିବ । ଆଇପିଏଲ୍-୧୫ର ପ୍ଲେ ଅଫ୍ ଓ ଫାଇନାଲ ମ୍ୟାଚ୍ ଭେନ୍ୟୁ ଉପରେ ନିଷ୍ପତି ହୋଇନାହିଁ । ତେବେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବା ସମ୍ଭାବନା ରହିଛି ।
ଆଇପିଏଲ ୨୦୨୨ରେ ମୋଟ୍ ୭୪ ମ୍ୟାଚ୍ ପାଇଁ ୧୦ ଆଇପିଏଲ ଦଳକୁ ଦୁଇଟି ଗ୍ରୁପ ବଂଟା ଯାଇଛି । ଏଥିରେ ପ୍ଲେ ଅଫ ଏବଂ ଫାଇନାଲ୍ ମଧ୍ୟ ସାମିଲ୍ । ପ୍ରତି ଦଳ ନିଜ ଗ୍ରୁପରେ ଥିବା ଦଳ ସହିତ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବ । ଏହା ବାଦ୍ ଦ୍ୱିତୀୟ ଗ୍ରୁପରେ ବାକି ଦଳ ସହିତ ଥରୁଟିଏ ମ୍ୟାଚ୍ ଖେଳିବ । ଉଦାହରଣ ସ୍ୱରୂପ ଗ୍ରୁପ ଏରେ ମୁମ୍ୱାଇ ଇଣ୍ଡିଆନ୍ସ ଦଳ କେକେଆର, ଆରଆର, ଡିସି, ଏଲଏସଜି ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ । ଏହା ପରେ ମୁମ୍ବାଇ ସିଏସକେ ବିରୋଧରେ ୨ଟି ମ୍ୟାଚ୍ ଏବଂ ଗ୍ରୁପ ବିରେ ଅନ୍ୟ ୪ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ । ସେହି ପରି ଗ୍ରୁପ ବିରେ ଆରସିବି ଦଳ ସିଏସକେ, ଏସଆରଏଚ, ପିଇବିକେଏସ ଏବଂ ଜିଟି ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ । ଆରସିବି ଗ୍ରୁପ ଏରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦୁଇଟି ଏବଂ ଅନ୍ୟ ୪ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ ।ଏହି ପରି ୧୦ଟି ଦଳ ମୋଟ୍ ୧୪ ଲିଗ୍ ମ୍ୟାଚ୍ ଖେଳିବେ । ସାତୋଟି ମ୍ୟାଚ୍ ଘରୋଇ ଏବଂ ସାତୋଟି ବାହାରେ ଖେଳିବେ । ୭୦ଟି ଲିଗ୍ ପରେ ୪ ପ୍ଲେଅଫ ମ୍ୟାଚ୍ ଖେଳାଯିବ । ସମସ୍ତ ଦଳ ୱାଙ୍ଖେଡେ ଷ୍ଟାଡିୟମ ଏବଂ ଡିୱାଇ ପାଟିଲ୍ ଷ୍ଟାଡିୟମରେ ୪-୪ ମ୍ୟାଚ୍ ଖେଳିବେ । ବ୍ରାବୋର୍ଣ୍ଣ ଷ୍ଟାଡିୟମ ଏବଂ ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ, ପୁଣେରେ ୩-୩ ମ୍ୟାଚ୍ ଖେଳାଯିବ । ୨୦୨୨ ମାର୍ଚ୍ଚ ୨୬ରୁ ଆଇପିଏଲ ୨୦୨୨ ଆରମ୍ଭ ହେବ ଏବଂ ଫାଇନାଲ୍ ମୁକାବିଲା ମେ ୨୯ରେ ଖେଳାଯିବ । ପ୍ଲେଅଫ ମ୍ୟାଚ୍ର ସ୍ଥାନ ପରେ ସ୍ଥିର କରାଯିବ ।
ଗ୍ରୁପ୍ ‘ଏ’ରେ ଥିବା ଟିମ :
୧- ମୁମ୍ବାଇ ଇଣ୍ଡିଆନ୍ସ
୨- କୋଲକାତା ନାଇଟ୍ ରାଇଡର୍ସ
୩- ରାଜସ୍ଥାନ ରୟାଲ୍ସ
୪- ଦିଲ୍ଲୀ କ୍ୟାପିଟାଲ
୫- ଲକ୍ଷ୍ନୌ ସୁପର ଜାଏଣ୍ଟସ୍
ଗ୍ରୁପ୍ ‘ବି’ରେ ଥିବା ଟିମ :
୧- ଚେନ୍ନାଇ ସୁପର କିଙ୍ଗ୍ସ
୨- ସନରାଇଜର୍ସ ହାଇଦ୍ରାବାଦ
୩- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
୪- ପଞ୍ଜାବ କିଙ୍ଗସ୍
୫- ଗୁଜୁରାଟ ଟାଇଟାନ୍ସ