ଏହି ଖେଳାଳି ହେବେ ଚେନ୍ନାଇ ସୁପର କିଙ୍ଗ୍ସର ପରବର୍ତ୍ତୀ ଅଧିନାୟକ !
ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନି ଏହା କେବଳ ଏକ ନାମ ନୁହେଁ, ଅନେକ କ୍ରିକେଟ ଫ୍ୟାନ୍ସଙ୍କ ଆଶା ଆଶା, ସ୍ମୃତି ଏବଂ ଭଗବାନଙ୍କ ପର୍ଯ୍ୟନ୍ତ… ଧୋନି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଖୁସି ମନେଇବାକୁ ଅନେକ ଥର ସୁଯୋଗ ଦେଇଛନ୍ତି । ତିନୋଟି ଆଇସିସି ଟ୍ରଫି, ଭାରତ ପାଇଁ ଉଭୟ ଫର୍ମାଟରେ ବିଶ୍ୱକପ୍, ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୪ ଟାଇଟଲ୍ ଏବଂ ଧୋନି ତାଙ୍କ ଅଧିନାୟକତ୍ୱରେ ବହୁତ କିଛି ଜିତିଛନ୍ତି । ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ କେବଳ ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲରେ ଖେଳୁଛନ୍ତି । ଏହାସହ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ପରିଚାଳନା କରୁଛନ୍ତି । ଅନେକ ପ୍ରଶଂସକ ଅନୁଭବ କରନ୍ତି ଯେ ଆଇପିଏଲରେ ଏହା ଏମଏସ୍ ଧୋନିଙ୍କର ଶେଷ ସିଜନ । ଯଦିଓ କିଛି ଆଧିକାରୀକ ନୁହେଁ । ଏହି ସମୟରେ ଚେନ୍ନାଇ ଦଳର ଜଣେ ଭେଟେରାନ ଖେଳାଳି ଦଳର ଅଧିନାୟକତ୍ୱ ସମ୍ପର୍କରେ ଏକ ବୟାନ ଦେଇଛନ୍ତି ।
ଆଇପିଏଲର ୧୬ ତମ ସିଜନ୍ ଚାଲିଛି । ଏହି ସମୟରେ ଅଭିଜ୍ଞ ଅଲରାଉଣ୍ଡର ମୋଇନ ଅଲିଙ୍କ ବୟାନ ଆସିଛି । ମୋଇନ ଅଲି ବିଶ୍ୱାସ କରନ୍ତି ଯେ, ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ଭବିଷ୍ୟତରେ ମହେନ୍ଦ୍ର ସିଂ ଧୋନିଙ୍କ ଉତ୍ତରାଧିକାରୀ ଭାବରେ ଦାୟିତ୍ୱ ସମ୍ଭାଳିପାରନ୍ତି । ଇଂଲଣ୍ଡର ଏହି ଅଭିଜ୍ଞ ଖେଳାଳି ମଧ୍ୟ ଜଣେ ଭାରତୀୟ ଖେଳାଳିଙ୍କୁ ଦଳର ନେତୃତ୍ୱକର୍ତ୍ତା ଭାବରେ ଦେଖୁଛନ୍ତି ।
ମୋଇନ୍ ଅଲି ଆହୁରି ମଧ୍ୟ କହିଛନ୍ତି ଯେ, ବେନ୍ ଷ୍ଟୋକ୍ସଙ୍କ ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକୱାଡଙ୍କ ମଧ୍ୟ ଭବିଷ୍ୟତରେ ଦଳର ନେତୃତ୍ୱ ନେବାର କ୍ଷମତା ରହିଛି । ଆପଣଙ୍କୁ କହି ରଖୁଛୁ ଯେ, ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୩ ଖେଳାଳିଙ୍କ ନିଲାମରେ ବେନ୍ ଷ୍ଟୋକ୍ସ ପାଇଁ ୧୬.୨୫ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହା ଦର୍ଶାଉଛି ଯେ ଏମଏସ ଧୋନିଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ଫ୍ରାଞ୍ଚାଇଜ୍ ବିଶ୍ୱକପ୍ ଜିତିଥିବା ଏହି ଅଲରାଉଣ୍ଡରଙ୍କୁ ଦେଖୁଛି । ୱାନକେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ମୋଏନ୍ ଅଲି କ୍ରିକିନଫୋଙ୍କୁ କହିଛନ୍ତି ଯେ, “ସେ (ବେନ୍ ଷ୍ଟୋକ୍ସ) ଆଇପିଏଲରେ ଖେଳିବାକୁ ବହୁତ ଉପଭୋଗ କରୁଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ଏପରି ଏକ ଫ୍ରାଞ୍ଚାଇଜ୍ ଯେଉଁଠାରେ ଆପଣ ଆସି ନିଜେ ପରିସ୍ଥିତିଗୁଡିକ ଉପଭୋଗ କରନ୍ତି । ବାସ୍ତବରେ ଆପଣ ନିଜେ ଏହି ଫ୍ରାଞ୍ଚାଇଜ୍ ପାଇଁ ଖେଳିବାକୁ ପସନ୍ଦ କରନ୍ତି । ନିଜର ଅଭିଜ୍ଞତା ଯୋଗୁଁ ସେ (ବେନ୍ ଷ୍ଟୋକ୍ସ) ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟନ୍ତି ।”
ମୋଇନ୍ ଅଲି ଆହୁରି କହିଛନ୍ତି ଯେ, “ମୁଁ ଭାବୁଛି ଭବିଷ୍ୟତରେ ଏହାର ସମ୍ଭାବନା (ଚେନ୍ନାଇ ସୁପର କିଙ୍ଗ୍ସ ର ଅଧିନାୟକତ୍ୱ ବେନ୍ ଷ୍ଟୋକ୍ସ) ଅଛି କାରଣ ସେ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରିଛନ୍ତି । ଏମଏସ ଧୋନି ବର୍ତ୍ତମାନ ଦଳର ନେତୃତ୍ୱ ନେଉଛନ୍ତି ଓ ସେ କିଛି ସମୟ ପାଇଁ ଅଧିନାୟକ ରହିବେ । ଭବିଷ୍ୟତରେ ଅଧିନାୟକଙ୍କ ପାଇଁ ଆମର ଆଉ କିଛି ବିକଳ୍ପ ଅଛି । ଋତୁରାଜ ଗାଇକୱାଡ ଜଣେ ଚମତ୍କାର ଖେଳାଳି ଯିଏ ଦାୟିତ୍ୱ ନେବାକୁ ପସନ୍ଦ କରନ୍ତି । ଫ୍ରାଞ୍ଚାଇଜି କ’ଣ ଚାହୁଁଛି ତାହା ଉପରେ ଏହା ନିର୍ଭର କରେ ।”
ସେପଟେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଦ୍ୱାଦଶ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ୭ ୱିକେଟରେ ଜିତି ସିଜିନର ଦ୍ୱିତୀୟ ବିଜୟ ହାସଲ କରିଛି । ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏହି ବଡ଼ ବିଜୟ ପରେ ନିଜ ଦଳର ଖେଳ ଉପରେ ଏକ ବଡ଼ ବୟାନ ଦେଇଛନ୍ତି ଓ ଖେଳାଳିମାନଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି ।
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ମୁମ୍ବାଇ ଇଣ୍ଡିଆନ୍ସ କୁ ୧୫୭/୮ରେ ଅଟକାଇ ରଖିବାରେ ସଫଳ ହୋଇଥିବା ଦଳର ବୋଲରଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ମ୍ୟାଚର ପ୍ରଥମ ଓଭରରେ ଦୀପକ ଚହରଙ୍କ ହାମଷ୍ଟ୍ରିଂ ଆଘାତ ପରେ ତୁଷାର ଦେଶପାଣ୍ଡେ (୨-୨୧) ରୋହିତ ଶର୍ମାଙ୍କୁ ଗୋଟିଏ ଡେଲିଭରି ସହିତ ପାଭିଲିୟନକୁ ପଠାଇଥିଲେ । ପରେ ସ୍ପିନର ରବିନ୍ଦ୍ର ଜାଡେଜା ଓ ମିଚେଲ ସାଣ୍ଟନର୍ ମଧ୍ୟଭାଗରେ ପାଞ୍ଚଟି ୱିକେଟ୍ ବାଣ୍ଟିଥିଲେ । ସିଏସକେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ଓଭରରେ ୧୫୭ ରନରେ ଅଟକାରେ ସଫଳ ହୋଇଥିଲା ।