୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୩ ବର୍ଷ : ମନେପଡେ ସେହି ଛାତିଥରା ଦୃଶ୍ୟ
ମୁମ୍ବାଇ : ଭବିଷ୍ୟତରେ ମନେ ରହିବ ଏବଂ ରହିଛି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା । ଆଜିବି ସେହି ଦିନ କଥା ମନେ ପଡିଲେ ଛାତି ଥରି ଉଠେ । କେତେ ଭୟଙ୍କର ଥିଲା ସେହି ଆକ୍ରମଣ । ଆକ୍ରମଣ ପରେ ସାରା ମୁମ୍ବାଇ ସହର ପୁରା ସ୍ତବ୍ଧ ହୋଇଯାଇଥିଲା । ସମସ୍ତଙ୍କ ମୁହଁରୁ ହସ ଲିଭିଯାଇଥିଲା । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପାଇଁ ଏହି ତାରିଖ ହୋଇଗଲା ଏକ କଳାଦିନ। ପୋଲିସ୍ କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ପର୍ଯ୍ୟନ୍ତ ସମସ୍ତେ ହୋଇଥିଲେ ଆତଙ୍କବାଦୀଙ୍କ ଗୁଳିର ଶିକାର। ଆଜି ଏହି ଘଟଣାକୁ ୧୩ ବର୍ଷ ପୂରିଛି। କିନ୍ତୁ ଆଜି ବି ଦେଶବାସୀ ଏହି ଲୋମଟାଙ୍କୁରା ଘଟଣାକୁ ଭୁଲି ପାରିନାହାନ୍ତି।
ସୂଚନା ଯେ, ସେଦିନ ଥିଲା ୨୦୦୮ ନଭେମ୍ବର ୨୬ ତାରିଖ । ମୁମ୍ବାଇ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏହା ମଧ୍ୟରେ ଘଟଣାକୁ ପୂରିଯାଇଛି ୧୩ ବର୍ଷ। ଆଜି ସାରା ଦେଶ ୨୬/୧୧ ଆକ୍ରମଣର ୧୩ତମ ବାର୍ଷିକୀରେ ଶହୀଦ ବୀରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ୧୩ ବର୍ଷ ତଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତ ସମେତ ପୂରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଭାରତ ଇତିହାସର ଏହି କଳାଦିନକୁ ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଏହି ଛାତିଥରା ଘଟଣାକୁ ଭୁଲି ପାରିନି ଦେଶ।
୨୦୦୮ ମସିହା ଆଜିର ଦିନରେ ୧୦ଜଣ ଲସ୍କର-ଏ-ତୈଏବାର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପ୍ରବେଶ କରିଥିଲେ। ରାତି ପ୍ରାୟ ୮ଟାରେ କୋଲବା ନିକଟ ମାଛ ବଜାରରେ ପହଞ୍ଚିଥିଲେ। ସେଠାରୁ ୪ଟି ଗ୍ରୁପରେ ଭାଗ ହୋଇ ଟ୍ୟାକ୍ସି ସାହାଯ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ। ମୁମ୍ବାଇର ୬ଟି ସ୍ଥାନରେ ଆଖିବୁଜା ଗୁଳିଚାଳନା କରିଥିଲେ। ତାଜ୍ ହୋଟେଲ ଠାରୁ ଆରମ୍ଭ କରି ଲିୟୋପ୍ଲୋଡ କାଫେ, ନରିମନ ହାଉସ୍, ଛତ୍ରପତି ଶିବାଜୀ ଟର୍ମିନାଲ ଆଦି ସ୍ଥାନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ତାଜ ହୋଟେଲ ଉପରେ ହୋଇଥିଲା ଅନ୍ଧାଧୂନ ଗୁଳିଚାଳନା। ଏହି ଘଟଣାରେ ୧୬୬ ଜଣ ସାଧାରଣ ନାଗରିକ ଓ ୧୮ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା। ୩୦୦ରୁ ଅଧିକ ଜଣ ଆହତ ହୋଇଥିଲେ। ତେବେ ଆତଙ୍କବାଦୀଙ୍କୁ କଡା ଟକ୍କର ଦେଇଥିଲେ ଭାରତୀୟ ସିପାହୀମାନେ। ପ୍ରାୟ ୬୦ଘଣ୍ଟା ଧରି ଚାଲିଥିଲା ପୋଲିସ ଓ ଆତଙ୍କବାଦୀ ମଧ୍ୟରେ ସଂଘର୍ଷ। ଏନଏସଜି ଓ ଅନ୍ୟ ସୁରକ୍ଷାକର୍ମୀ ୯ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ଅଜମଲ ଆମିର କସାବ ନାମକ ଆତଙ୍କବାଦୀକୁ ଜୀବନ୍ତ ଗିରଫ କରାଯାଇଥିଲା। ତାକୁ ୨୦୧୨ ମସିହା ୨୧ ନଭେମ୍ବରରେ ଫାଶୀ ଦିଆଯାଇଥିଲା। ସେହିଦିନ ସହିଦ ହୋଇଥିବା ସୁରକ୍ଷାକର୍ମୀ ଓ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆଜି ମୁମ୍ବାଇରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆଜି ଏହି ଦିନ ଅର୍ଥାତ ୨୬/୧୧ ଆସିଲେ ମନେ ପଡିଥାଏ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ କଥା । ଆଉ ଏହି ଘଟଣା କଥା ମନେ ପଡିଲେ ସମସ୍ତ ବିଶ୍ୱବାସୀଙ୍କ ମନରେ ଭରିଯାଏ ଭୟ ।
ଆତଙ୍କୀ ମୁକ୍ତ କରିବାକୁ ଲାଗିଥିଲା ୨ ଦିନ :
୨୬ ନଭେମ୍ବର ରାତିରେ ହୋଟେଲ ତାଜକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ ଆତଙ୍କବାଦୀ। ବହୁ ଅତିଥିଙ୍କୁ ବନ୍ଧକ ରଖାଯାଇଥିଲା। ସେମାନଙ୍କ ଭିତରେ କେତେକ ବିଦେଶୀ ବି ଥିଲେ। ୨୭ ତାରିଖ ସକାଳୁ ତାଜ ହୋଟେଲକୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ଏନ୍ଏସଜି କମାଣ୍ଡୋ ମଧ୍ୟ ଲାଗି ପଡ଼ିଥିଲେ। ଦୀର୍ଘ ଦୁଇ ଦିନର କଠିନ ପରିଶ୍ରମ ପରେ ତାଜ ହୋଟେଲ ଆତଙ୍କବାଦୀଙ୍କ କବଳରୁ ରକ୍ଷା ପାଇଥିଲା।
ବିଭିନ୍ନ ସ୍ଥାନରେ ହୋଇଥିଲା ଆକ୍ରମଣ :
କେବଳ ତାଜ ହୋଟେଲ ନୁହେଁ, ୨୬ ତାରିଖରେ ୧୦ଜଣ ଆତଙ୍କବାଦୀ ମୁମ୍ବାଇର ଏକାଧିକ ସ୍ଥାନରେ ଆକ୍ରମଣ ଜାରି ରଖିଥିଲେ। ଯେଉଁଥିରେ ମୋଟ ୧୬୨ଟି ନିରୀହ ଲୋକ ପ୍ରାଣ ହରାଇଥିଲେ। ସେହିଦିନ ରାତିରେ ଆତଙ୍କବାଦୀମାନେ ପ୍ରଥମେ ମୁମ୍ବାଇର ଛତ୍ରପତି ଶିବାଜୀ ଷ୍ଟେସନରେ ଜନସାଧାରଣଙ୍କ ଉପରେ ଅତର୍କିତ ଭାବେ ଗୁଳିବର୍ଷଣ କରିଥିଲେ। ଯେଉଁଥିରେ ପାଖାପାଖି ୫୮ଜଣ ଲୋକ ପ୍ରାଣ ହରାଇବା ସହ ବହୁ ଲୋକ ଆହାତ ହୋଇଥିଲେ। ରେଳ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅଜମଲ ଆମିର କସାବକୁ କାବୁ କରିଥିଲା ପୋଲିସ୍। ଏହାପରେ କସାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତାଜ ହୋଟେଲ, ଛତ୍ରପତି ଶିବାଜୀ ଷ୍ଟେସନ ସହ ହୋଟେଲ୍ ଓବରାୟ, ଲିୟୋପୋଲ୍ଡ କାଫେ, କାମା ହସ୍ପିଟାଲ୍ ଓ ଦକ୍ଷିଣ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହାକୁ ଭାରତୀୟ ଇତିହାସରେ ଗୋଟିଏ କଳାଦିନ ଭାବେ ସ୍ମରଣ କରାଯାଏ।
ଜୀବନ୍ତ ଧରାପଡ଼ିଥିଲା କସାବ :
୧୦ଜଣ ଆତଙ୍କବାଦୀ ହାତରେ ବନ୍ଧୁକ ଧରି ମୁମ୍ବାଇରେ ନରସଂହାର କରିଥିଲେ। ୧୦ ଆତଙ୍କବାଦୀଙ୍କ ଭିତରୁ ମହମ୍ମଦ ଆଜମଲ ଅମୀର କସାବ୍ଙ୍କୁ ଜୀବନ୍ତ ଗିରଫ କରାଯାଇଥିଲା। ଦୀର୍ଘ ଦିନ କସାବଙ୍କ ନାଁରେ ମାମଲା ଚାଲିବା ପରେ ୨୦୧୨ରେ କସାବଙ୍କୁ ଫାଶୀ ଦିଆଯାଇଥିଲା।
୧୧ ଯବାନ ହୋଇଥିଲେ ସହିଦ :
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଅଭିଯାନରେ ମୁମ୍ବାଇ ପୋଲିସ, ଏଟିଏସ୍ ଏବଂ ଏନଏସଜିର ୧୧ ଜଣ ବ୍ୟକ୍ତି ଯବାନ ସହିଦ ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଏଟିଏସ୍ ମୁଖ୍ୟ ହେମନ୍ତ କରକାରେ, ଏସିପି ଅଶୋକ କାମ୍ଟେ, ଏସିପି ସଦାନନ୍ଦ ତାରିଖ, ଏନଏସଜି କମାଣ୍ଡୋ ମେଜର ସନ୍ଦୀପ ଉନିକ୍ରିଷ୍ଣନ୍, ଏନକାଉଣ୍ଟର ବିଶେଷଜ୍ଞ ଏସଆଇ ବିଜୟ ସାଲାସ୍କର, ଇନ୍ସପେକ୍ଟର ସୁଶାନ୍ତ ସିନ୍ଦେ, ଏସଆଇ ପ୍ରକାଶ ମୋରେ, ଏସଆଇ ଡୁଡଗୁଡେ, ଏଏସଆଇ ନାନାସାହେବ ଭୋନସେଲ, ଏଏସଆଇ ତୁକରାମ ଓମ୍ବଲେ, କନଷ୍ଟେବଳ ବିଜୟ ଖାଣ୍ଡେକର, ଜୟଓ୍ୱନ୍ତ ପାଟିଲ, ଯୋଗେଶ ପାଟିଲ, ଅମ୍ବାଡୋସ ପାୱାର ଏବଂ ଏମସି ଚୌଧୁରୀ।