ତୃତୀୟ ଲହର ମୁକାବିଲା : କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର : ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆଗୁଆ ବ୍ୟବସ୍ଥା କରିବା ଲାଗି ସବୁ ଜିଲ୍ଲାପାଳ, ସିଡିଏମଓ ମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ତୃତୀୟ ଲହରରେ ଛୋଟପିଲା ସଂକ୍ରମିତ ହେବା ସମ୍ଭାବନା ଥିବାରୁ ବର୍ତମାନ ଥିବା କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲରେ ୧୦ଟି ଆଇସୋଲେସନ ବେଡ୍ ରହିବ ବୋଲି ଚିଠିରେ କୁହାଯାଇଛି ।
ସେହିପରି ୭ଟି ମେଡିକାଲ କଲେଜରେ ୬୪ ଏନଆଇସିୟୁ ସହ ମୋଟ ୧୫୫ ବେଡ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇସିୟୁ ବ୍ୟବସ୍ଥା ଥିବା ସବୁ ସିସିସିରେ ୧୫% ବେଡ୍ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ପର୍ଯ୍ୟାପ୍ତ ଔଷଧ, ଅକ୍ସିଜେନ ମହଜୁଦ ରଖିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର କୋଭିଡ଼ ବ୍ଲକ ପ୍ରସ୍ତୁତ କରିବାକୁ କଟକ ଶିଶୁଭବନ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।