ତୃତୀୟ ଟି-୨୦ : ଭାରତକୁ ୧୬୫ ରନର ଟାର୍ଗେଟ୍ ଦେଲା ଓ୍ଵେଷ୍ଟଇଣ୍ଡିଜ
ସେଣ୍ଟ କିଟ୍ସ : ମଙ୍ଗଳବାର ଭାରତ ଏବଂ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଟି୨୦ ଖେଳା ଯାଇଛି । ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିଥିଲା ।
ସେଣ୍ଟ କିଟ୍ସର ଓ୍ଵାର୍ଣ୍ଣର ପାର୍କରେ ଖେଳାଯାଉଥିବା ତୃତୀୟ ଟି-୨୦ରେ କାଇଲ୍ ମେୟର୍ସଙ୍କ ଅର୍ଦ୍ଧଶତକ ବଳରେ ଓ୍ଵେଷ୍ଟଇଣ୍ଡିଜ ୫ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ମ୍ୟାଚ୍ ଜିତି ଅଗ୍ରଣୀ ହାସଲ ପାଇଁ ଭାରତ ସମ୍ମୁଖରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି। କାଇଲ ମେୟର୍ସ ୫୦ ବଲରୁ ୭୩ ରନ କରିଛନ୍ତି। ସିମରନ ହେଟମାୟର ୩୦ ରନ କରିଥିବା ବେଳେ ରୋଭମାନ ପାଓ୍ଵେଲ ଦ୍ରୁତ ୨୩ ରନ ଏବଂ ନିକୋଲାସ ପୂରନ ୨୨ ରନ କରିଛନ୍ତି। ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ୨ ଓ୍ଵିକେଟ୍ ନେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି।
ସୂଚନା ଯେ, ଭାରତ ପ୍ରଥମ ଟି୨୦ରେ ଇଣ୍ଡିଜକୁ ୬୮ ରନରେ ମାତ୍ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୧୯୦ ରନ୍ କରିଥିଲା । କିନ୍ତୁ ଇଣ୍ଡିଜ ୧୨୨ ରନ୍ କରିପାରିଥିଲା । ତେବେ ଦ୍ୱିତୀୟ ଟି୨୦କୁ ଇଣ୍ଡିଜ ୫ ଓ୍ୱିକେଟରେ ଜିତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୧୩୮ ରନ୍ କରିଥିଲା । ଇଣ୍ଡିଜ ୪ ବଲ୍ ବାକି ଥାଇ ଶେଷ ଓଭରରେ ୫ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଥିଲା।