ତୃତୀୟ ଦିନିକିଆ : ଶ୍ରୀଲଙ୍କାକୁ ୩୯୧ ରନ୍ର ବିଜୟ ଲକ୍ଷ୍ୟ ଦେଲା ଭାରତ
ଥିରୁଅନନ୍ତପୁରମ : ଭାରତ-ଶ୍ରୀଲଙ୍କା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଜାରି ରହିଛି। କେରଳର ତିରୁଭନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଷ୍ଟାର ଯୁବ କ୍ରିକେଟର ଶୁବମନ ଗିଲ ଓ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ଶ୍ରୀଲଙ୍କା ଆଗରେ ୩୯୧ ରନ୍ର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୯୦ ରନ୍ ସଂଗ୍ରହ କରିଛି।
ଶ୍ରୀଲଙ୍କା ବିପକ୍ଷରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ ଇଣ୍ଡିଆର ଅଭିଜ୍ଞସଂପନ୍ନ ବ୍ୟାଟର ବିରାଟ କୋହଲି ବିରାଟ ଆଜି ୧୧୦ଟି ବଲ୍ ଖେଳି ୧୩ଟି ଚୌକା ଓ ୮ଟି ଛକା ବଳରେ ୧୬୬ ରନ୍ ସଂଗ୍ରହ କରିଥିଲେ। ଅନ୍ତର୍ଜାତୀୟ କ୍ୟାରିୟରର ୭୪ତମ ଶତକ ହାସଲ କରିଥିଲେ। ଏଥିରେ ସେ ୪୬ତମ ଦିନିକିଆ ଶତକ ଯୋଡ଼ିଥିଲେ। ପୂର୍ବରୁ ସେ ୨୭ଟି ଟେଷ୍ଟ ଓ ଗୋଟିଏ ଟି-୨୦ ଶତକ ମାରିଥିଲେ। ଦିନିକିଆ ଶୃଙ୍ଖଳାର ୩ୟ ତଥା ଶେଷ ମୁକାବିଲାରେ ଶୁବମନ ଗିଲ ୯୭ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୧୧୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୧୪ଟି ଚୌକା ଓ ୨ଟି ଛକା ସାମିଲ କରିଥିଲେ। ଶୁବମନ ଗିଲ୍ ଆଜି ତାଙ୍କ କ୍ୟାରିୟରର ୨ୟ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ଏହା ପୂର୍ବରୁ ଶୁବମନ ଗିଲ ଜିମ୍ବାୱେ ବିପକ୍ଷରେ ଗତବର୍ଷ ଅଗଷ୍ଟ ୨୨ ତାରିଖରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ଯୁବ ବ୍ୟାଟର ଶୁବମନ ଗିଲ ଆଜି ବିରାଟ କୋହଲିଙ୍କ ସହିତ ଶତକୀୟ ଭାଗିଦାରୀ (୧୩୧ ରନ୍) ହୋଇପାରିଥିଲେ। ଭାରତ ୯୫ ରନ୍ରେ ପ୍ରଥମ ୱିକେଟ୍ ଭାବେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ଟିମ୍ର ସ୍କୋର ୨୨୬ ରନ୍ରେ ଶୁବମନ ଗିଲ୍ ଆଉଟ ହୋଇ ପାଭଲିୟମକୁ ଫେରିଯାଇଥିଲେ। ଏହା ପୂର୍ବରୁ ରୋହିତ ୪୯ଟି ବଲ୍ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୪୨ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଶ୍ରୀଲଙ୍କାର ୩ୟ ଶିକାର ହୋଇଥିଲେ ଶ୍ରେୟସ ଆୟର। ସେ ୩୮ ରନ୍ ସଂଗ୍ରହ କରି ପାଭଲିଅନ ଫେରିଯିବା ପୂର୍ବରୁ ୩୨ଟି ବଲ୍କୁ ସାମ୍ନା କରିଥିଲେ। ଏଥିରେ ୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। କେଏଲ ରାହୁଲ ୬ଟି ବଲ୍ ସାମ୍ନା କରି ୭ ରନ୍ ଯୋଡ଼ିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୪ ରନ୍ କରିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ ଅପରାଜିତ ୨ ରନ୍ କରିଥିଲେ।
ସୂଚନା ଯେ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଥିରୁଅନନ୍ତପୁରମରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ସାରିଛି। ତେବେ ଆଜିର ମ୍ୟାଚ୍କୁ ଜିତି ଦଳ ସିରିଜ୍କୁ ୩-୦ରେ ହାତେଇବାକୁ ପ୍ରୟାସ କରିବ।