ଗଜପତି ଉତ୍ସଵର ତୃତୀୟ ସନ୍ଧ୍ୟା : ଆଦିବାସୀ ସଙ୍ଗୀତରେ ନାଚିଲେ ଜିଲାପାଳ ଓ ଅତିରିକ୍ତ ଜିଲାପାଳ
ପାରଳାଖେମୁଣ୍ଡି : ଗଜପତି ଉତ୍ସଵ ମଞ୍ଚରେ ନାଚିଲେ ଜିଲାପାଳ ଓ ଅତିରିକ୍ତ ଜିଲାପାଳ । ଯେତେବେଳେ ମଞ୍ଚ ଉପରେ ଏକ ସାଂସ୍କୃତିକ ଦଳ ଆଦିବାସୀ ଗୀତ ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରିଥିଲା ସେତେବେଳେ ଆଉ ଅଟକିବାକୁ ଚାହିଁ ନଥିଲେ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା। ଗଜପତି ଉତ୍ସଵ ମଞ୍ଚ ଉପରକୁ ଆସି ଆଦିବାସୀ ସଙ୍ଗୀତରେ ବେଶ୍ କିଛି ସମୟ ନାଚିଥିଲେ ସେ। ତାଙ୍କୁ ସାଥ୍ ଦେଇଥିଲେ ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡା। ଆଉ ଏହି ନୃତ୍ୟ ସଙ୍ଗୀତର ଉଲ୍ଲାସ ଭରା ପରିବେଶରେ ଦେଖଣାହାରୀ ମଧ୍ୟ ବେଶ୍ ଆମୋଦିତ ହୋଇଥିଲେ।
ଗଜପତି ଉତ୍ସଵର ତୃତୀୟ ସନ୍ଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳଥିଲା। ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ଆନନ୍ଦ ଉଠାଉଥିଲେ ଦର୍ଶକ। ଶେଷ ଆଡ଼କୁ ଜିଲାପାଳ, ଅତିରିକ୍ତ ଜିଲାପାଳ ଉଭୟେ ମଞ୍ଚ ଉପରକୁ ଆସି ଲୋକମାନଙ୍କ ଉତ୍ସାହ ବଢାଇଥିଲେ। ଜିଲାପାଳଙ୍କ ନାଚ ଦେଖି ଉପସ୍ଥିତ ଲୋକ ମନ୍ତ୍ରମୁଗ୍ଧ ହୋଇଥିଲେ। କରତାଳି ମାଧ୍ୟମରେ ଜିଲାପାଳଙ୍କୁ ମଧ୍ୟ ପ୍ରଶଂସା କରିବାକୁ ପଛାଇ ନଥିଲେ।
କରୋନା କଟକଣା ପରେ ଆୟୋଜିତ ଗଜପତି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରୟାସ କରିଛି ଜିଲା ପ୍ରଶାସନ। ଏଥିସହ ସ୍ଥାନୀୟ କଳାକାର ଓ ଲୋକନୃତ୍ୟକୁ ପ୍ରୋତ୍ସାହନ ସ୍ବରୂପ ସେମାନଙ୍କୁ ନିଜ କଳାନୈପୁଣ୍ୟ ପ୍ରଦର୍ଶନ ପାଇଁ ମଞ୍ଚରେ ସୁଯୋଗ ମଧ୍ୟ ଦିଆଯାଉଛି। ସେହି କଳା ଓ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଖୋଦ୍ ଜିଲାପାଳ ମଞ୍ଚକୁ ଓହ୍ଲାଇଥିଲେ।