ବିଶ୍ୱକପ-୨୦୨୩ରୁ ବାଦ୍ ପଡ଼ିବେ ଶିଖର ଧାୱନ-ଭୁବିଙ୍କ ସମେତ ଏହି ୫ ଖେଳାଳି, ମିଳିଲା ଏହି ବଡ଼ ସଂକେତ
ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି । ଏହି ସିରିଜର ୨ଟି ମ୍ୟାଚ୍ ଶେଷ ହୋଇସାରିଛି । ଟିମ୍ ଇଣ୍ଡିଆ ଏହି ସିରିଜରେ ୨-୦ରେ ଆଗୁଆ ରହିଛି । ଏହି ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୨ଟି ଟେଷ୍ଟ ମ୍ୟାଚ୍ ଓ ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଏହି ଦଳରୁ ଟିମ୍ ଇଣ୍ଡିଆର ଅନେକ ବଡ଼ ନାମ ବାହାର ରହିଛି । ଏହି ସମସ୍ତ ଖେଳାଳିଙ୍କୁ ଟେଷ୍ଟ ଓ ଦିନିକିଆ ସିରିଜରେ ସୁଯୋଗ ଦିଆଯାଇ ନାହିଁ ।
ଟିମ୍ ଇଣ୍ଡିଆ ସ୍କ୍ୱାଡରେ ଶିଖର ଧାୱନ, ଜସପ୍ରୀତ ବ୍ରୁମା, ସଞ୍ଜୁ ସାମସନ୍, ପୃଥ୍ୱୀ ଶ’ ଏବଂ ଭୁବନେଶ୍ୱର କୁମାରଙ୍କ ପରି ବଡ଼ ନାମ ସାମିଲ ନାହିଁ । ଏଭଳି ପରିସ୍ଥିତିରେ ମନେ କରାଯାଉଛି ଯେ, ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ ଏସବୁ ଖେଳାଳିଙ୍କ ଛୁଟି ହୋଇପାରେ । ତେବେ ଜସପ୍ରୀତ ବ୍ରୁମା ଆଘାତ କାରଣରୁ ଦଳ ବାହାରେ ଅଛନ୍ତି । ଏବେ ମଧ୍ୟ ଜସପ୍ରୀତ ବ୍ରୁମାଙ୍କ ବିଶ୍ୱକପ ୨୦୨୩ ଖେଳିବାର ସମ୍ଭାବନା ରହିଛି ।
ଭାରତୀୟ ଦଳକୁ ଘରୋଇ ମାଟିରେ ଏହି ବର୍ଷର ଶେଷ ଆଡ଼କୁ ଦିନିକିଆ ବିଶ୍ୱକପ ଖେଳିବାର ଅଛି । ଶିଖର ଧାୱନ କିଛି ଦିନ ଆଗରେ ବିଶ୍ୱକପ ୨୦୨୩ ଖେଳିବାର ସବୁଠାରୁ ପ୍ରବଳ ଦାବିଦାର ଥିଲେ । କିନ୍ତୁ ଖରାପ ଫର୍ମ ଯୋଗୁଁ ଶିଖର ଧାୱନଙ୍କୁ ଟିମ୍ ଇଣ୍ଡିଆରୁ ବାହାର ରଖାଯାଇଛି ।
ସେପଟେ ପୃଥ୍ୱୀ ଶ’ ନିକଟ ଅତୀତରେ ଫ୍ୟାନ୍ସ ସହ ମାରପିଟ ମାମଲାରେ ଫସିଛନ୍ତି । ହୁଏତ ପୃଥ୍ୱୀ ଶ’ଙ୍କୁ ଏହି କାରଣରୁ ସୁଯୋଗ ମିଳି ନାହିଁ । ସଞ୍ଜୁ ସାମସନ୍ ଓ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଦିନିକିଆ ବିଶ୍ୱକପ ୨୦୨୩ରୁ ବାହାର ରଖାଯାଇପାରେ । ଏହି କାରଣରୁ ସେମାନଙ୍କୁ ଟିମ୍ ଇଣ୍ଡିଆର ସ୍କ୍ୱାଡରେ ସାମିଲ କରାଯାଇ ନାହିଁ ।
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦିନିକିଆ ଦଳ :
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ , ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, ଜୟଦେବ ଉନାଦକଟ୍