ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଏହି ୪ ଭାରତୀୟ ଖେଳାଳି, ଜାଣନ୍ତୁ କିଏ କିଏ…
ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ଵର ପୂଜାରାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଦୁଇ ଖେଳାଳି ସଂପ୍ରତି ଖରାପ ଫର୍ମ ଦେଇ ସଂଘର୍ଷ କରୁଥିଲେ। ପୂଜାରା-ରାହାଣେଙ୍କ ବ୍ୟତୀତ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏବଂ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଦ୍ଧିମାନ ଶାହଙ୍କୁ ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ।
ଚେତନ ଶର୍ମା ଦଳର ଘୋଷଣା କରି କହିଛନ୍ତି, ଭାରତ ଆନୁଷ୍ଠାନିକ ଭାବେ ଟ୍ରାଞ୍ଜିସନ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି। ଟେଷ୍ଟ ଦଳରେ ରାହାଣେ, ପୂଜାରା, ଇଶାନ୍ତ ଏବଂ ଶାହଙ୍କୁ ସ୍ଥାନ ମିଳିନି। ବର୍ତ୍ତମାନ ହନୁମା ବିହାରୀ, ଗିଲ୍ ଏବଂ ଶ୍ରେୟସଙ୍କୁ ଦଳରେ ଆଣିବାର ସମୟ ଆସି ସାରିଛି। ଆମେ ପୂଜାରା, ରାହାଣେ, ଶାହ ଏବଂ ଇଶାନ୍ତଙ୍କୁ ରଣଜୀ ଟ୍ରଫି ଖେଳିବାକୁ ଅନୁରୋଧ କରିଛୁ। ଆମେ କାହା ପାଇଁ ଦ୍ଵାର ବନ୍ଦ କରିବାକୁ ଚାହୁଁନୁ। ମୁଁ ଆଶା କରୁଛି ଯେ, ଆପଣମାନେ ରନ କରିବେ, ଓ୍ଵିକେଟ୍ ନେବେ ଏବଂ ପୁଣି ଥରେ ଦେଶ ପାଇଁ ଖେଳିବେ ବୋଲି ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି।
ଗତ ୧୨ ମାସ ରାହାଣେଙ୍କ ପାଇଁ ବହୁତ ଆହ୍ଵାନପୂର୍ଣ୍ଣ ସମୟ ଥିଲା। ୨୦୨୧ରେ ୩୩ ବର୍ଷୀୟ ରାହାଣେ ୧୩ଟି ଟେଷ୍ଟରେ ୨୦.୮୩ ହାରରେ ମାତ୍ର ୪୭୯ ରନ କରିଥିଲେ। ଫଳରେ ତାଙ୍କୁ ଟେଷ୍ଟ ଦଳର ଉପ ଅଧିନାୟକ ପଦରୁ ହଟାଯାଇଥିଲା। ଏବେ ଟେଷ୍ଟ ଦଳରୁ ତାଙ୍କୁ ଛୁଟି ଦିଆଯାଇଛି। ସେହି ପରି ପୂଜାରା ଗତ ବର୍ଷ ୧୪ଟି ଟେଷ୍ଟରେ ୨୮.୦୮ ହାରରେ ୭୦୨ ରନ କରିଥିଲେ। ଏହି ସମୟରେ ସେ ଛଅଟି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଷ୍ଟ୍ରାଇକ ରେଟ୍ ୩୪.୧୭ ରହିଥିଲା। ଖରାପ ଷ୍ଟ୍ରାଇକ୍ ରେଟ୍ କାରଣରୁ ତାଙ୍କୁ ଅନେକ ଥର ସମାଲୋଚନାର ଶିକାର ହେବାକୁ ପଡିଛି। ସେହି ପରି ଇଶାନ୍ତ ଶର୍ମାଙ୍କ ଫର୍ମ ମଧ୍ୟ ସେତେଟା ପ୍ରଭାବଶାଳୀ ନଥିଲା। ସେ ଫିଟନେସ୍ ସମସ୍ୟା ଦେଇ ଗତି କରୁଥିଲେ। ଅପରପକ୍ଷେ ଋଦ୍ଧିମାନ ଶାହଙ୍କ ବୟସକୁ ଦେଖି ବିସିସିଆଇ କେଏସ ଭରତଙ୍କୁ ଦଳରେ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଛି।
ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା(ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ପ୍ରିୟଙ୍କ ପାଞ୍ଚାଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁଭମାନ ଗିଲ୍, ଋଷଭ ପନ୍ତ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ଵିନ(ଫିଟନେସ୍ ଉପରେ ନିର୍ଭର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯଶପ୍ରୀତ ବୁମରା(ଉପ ଅଧିନାୟକ), ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର।