ଗାଁକୁ ନାହିଁ ରାସ୍ତା; ଖଟିଆରେ ବୁହାହେଲେ ଗର୍ଭବତୀ
ବସ୍ତା : ଗାଁକୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଗର୍ଭବତୀ ମହିଳାଙ୍କୁ ୧ କିମି ରାସ୍ତା ଖଟିଆରେ ବୋହି ପରିବାର ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଲେ । ସ୍ୱାଧୀନତାର ୭୫ ବର୍ଷ ପରେବି ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଖୋଦ ବସ୍ତା ବିଧାୟକଙ୍କ ନିଜ ପଞ୍ଚାୟତ ମୁକୁଳିସି ଠାରେ ।
ବାଲେଶ୍ୱର ଜିଲା ବସ୍ତା ଥାନା ମୁକୁଳିସି ପଞ୍ଚାୟତ ଅନ୍ତର୍ଗତ ରେଣୁପଦା କୁଲାସାହି ଗ୍ରାମରେ ଗର୍ଭବତୀଙ୍କୁ ଖଟିଆରେ ବୁହାହେବା ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ସକାଳେ ଏହି ଗ୍ରାମର ରାମସିଂ ମାରାଣ୍ଡିଙ୍କ ଗର୍ଭବତୀ ଝିଅ ବର୍ଷା ମାରାଣ୍ଡି ଗର୍ଭ ଯନ୍ତ୍ରଣା ଯୋଗୁଁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ସେ ଦୀର୍ଘଦିନ ଧରି ବାପଘରେ ରହି ଚିକିତ୍ସିତ ହେଉଥିଲେ । ଅସୁସ୍ଥ ହେବାରୁ ପରିବାର ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ମାତ୍ର ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରି ନଥିଲା । ପରିବାର ଲୋକେ ବାଧ୍ୟ ହୋଇ ଏକ କିମି ପର୍ଯ୍ୟନ୍ତ ଖଟିଆରେ ବୋହି ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଦୀର୍ଘଦିନ ଧରି କୁଲାସାହି ଗାଁକୁ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରି ଆସୁଥିଲେ ହେଁ ଏଯାବତ୍ ସମସ୍ୟାର ସମାଧାନ ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।