ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଚଳିତବର୍ଷ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ । ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନକୁ ସୁପ୍ରିମକୋର୍ଟର ଖଣ୍ଡପୀଠ ଖାରଜ କରି ଦେଇଛନ୍ତି । ମୁଖ୍ୟବିଚାରପତି ଏନ୍.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ।
କରୋନା ହେତୁ ରଥଯାତ୍ରା ହେବ କି ନହେବ ସେ ନେଇ ବହୁ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ପୂର୍ବରୁ ରାଜ୍ୟ ସରକାର କେବଳ ଜଗନ୍ନାଥଧାମ୍ ପୁରୀରେ କରୋନା କଟକଣା ମଧ୍ୟରେ ରଥଯାତ୍ରାକୁ ଅନୁମତି ପ୍ରଦାଦ କରିଥିଲେ । ମାତ୍ର ରାଜ୍ୟର ଅନ୍ୟ କେତେକ ଅଂଶ ଓ ସହରରେ ବି ରଥଯାତ୍ରାକୁ ଅନୁମତି ମିଳୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ମାମଲା ଆଗତ ହୋଇଥିଲା । ଯାହାର ଶୁଣାଣି କରି ଅଦାଲତ ସେହି ସବୁ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଭାରତର ପ୍ରଧାନ ବିଚାରପତି ଏନ ଭି ରାମନାଙ୍କ ଦ୍ୱାରା ଗଠିତ ଏକ ତିନି ଜଣିଆ ଖଣ୍ଡପୀଠରେ କୁହାଯାଇଛି ଯେ ‘ଚଳିତବର୍ଷ କୋଭିଡ୍-୧୯ ମହାମାରୀ ହେତୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଗତବର୍ଷ ମୃତ୍ୟୁ ସଂଖ୍ୟା ଏହା ତୁଳନାରେ ଖୁବ୍ କମ୍ ଥିଲା ।’ ଏହାକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ପୁରୀ ବ୍ୟତୀତ ଆଉ ସମସ୍ତ ସ୍ଥାନରେ ରଥଯାତ୍ରାକୁ ନା କହିଛନ୍ତି । ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଆହୁରି ବି କହିଛନ୍ତି ଯେ, ‘ପୂର୍ବରୁ ଓଡ଼ିଶା ସରକାର କଟକଣା ମଧ୍ୟରେ ପୁରୀରେ ରଥଯାତ୍ରାକୁ ଅନୁମତି ଦେଇଛନ୍ତି । ଆମେ ତାଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ ଚାହୁଁନା । ଆମକୁ ବହୁତ ଦୁଃଖ ଅନୁଭବ ହେଉଛି ଯେ ଆମେ ଆପଣମାନଙ୍କୁ ସାହାଯ୍ୟ କରିପାରୁନୁ । ମୁଁ ବି ଭଗବାନଙ୍କ ଦର୍ଶନ କରିବାକୁ ଚାହେଁ । ମାତ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ପୁରୀ ବ୍ୟତୀତ ଅନ୍ୟତ୍ର ରଥଯାତ୍ରାକୁ ଅନୁମତି ଦେଇପାରିବୁ ନାହିଁ ।’