ଆସନ ଭାଗବଣ୍ଟାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଛିଡ଼ୁନି ଅଙ୍କ, ୧୨କୁ ଅପେକ୍ଷା
ନୂଆଦିଲ୍ଲୀ/ଭୁବନେଶ୍ୱର : ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ବିଜେପି ଓ ବିଜେଡି ମଧ୍ୟରେ କେଁ ରହିଥିବା କୁହାଯାଉଛି । ମେଣ୍ଟ ହେଲେ କାହାକୁ କେତେ ସିଟ୍ ମିଳିବ ସେ ନେଇ ଭାଗ ଛିଡୁନଥିବା ସୂଚନା ମିଳିଛି। ବିଜେଡି ଦାବିରେ ରାଜି ହେଉନି ବିଜେପି ବୋଲି ଶୁଣିବାକୁ ମିଳୁଛି |
ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ବିଜେଡି ଦୁଇଟି ବଡ ଏବଂ ଚର୍ଚ୍ଚିତ ଲୋକସଭା ଆସନ ଛାଡିବାକୁ ଚାହୁଁନି । ଆଉ ସେହି ଦୁଇ ଆସନ ହେଉଛି ପୁରୀ ଏବଂ ଭୁବନେଶ୍ବର । ପୁରୀ ଆସନ ବିଜେଡି ପାଖରେ ଥିବା ବେଳେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ବିଜେପି ପାଖରେ ରହିଛି । ପୁରୀ ଏବଂ ଭୁବନେଶ୍ବର ଲୋକସଭା ଆସନ ଛାଡିବାକୁ ଚାହୁଁନି ଭାରତୀୟ ଜନତା ପାର୍ଟି । କେବଳ ସେତିକି ନୁହେଁ ୧୦୦ରୁ ଅଧିକ ବିଧାନସଭା ଆସନ ଲଢ଼ିବାକୁ ଚାହୁଁଛି ବିଜେଡି । କିନ୍ତୁ ଏଥିପାଇଁ ବିଜେପି ରାଜି ନଥିବା କୁହାଯାଉଛି ।
ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ମେଣ୍ଟ ହେଲେ ବିଧାନସଭା ସିଟ୍ ୯୮:୪୯ରେ ଭାଗ କରିବାକୁ ଚାହୁଁଛି ବିଜେପି । ଅର୍ଥାତ ବିଜେଡି ୯୮ଟି ସିଟ ଏବଂ ବିଜେପି ୪୯ଟି ସିଟ୍ ନେବାକୁ ଚାହୁଁଛି । ସେପଟେ ଲୋକସଭାରେ ୧୪:୭ରେ ଭାଗ କରିବାକୁ ଚାହୁଁଛି ବିଜେପି । ଅର୍ଥାତ ବିଜେପି ୧୪ଟି ଏବଂ ବିଜେଡି ୭ଟି ସିଟ୍ ଲଢିବାକୁ ଚାହୁଁଛି ବିଜେପି । କିନ୍ତୁ ଏଥିରେ ମଧ୍ୟ ରାଜି ହେଉନି ବିଜେଡି । ଆସନ ବୁଝାମଣା ନେଇ ଅଙ୍କ ଛିଡ଼ୁ ନଥିବାରୁ ହେଉଛି ବିଳମ୍ବ । ତେବେ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଥିବା ବେଳେ ମେଣ୍ଟ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଦିଲ୍ଲୀରେ ବିଜେପି କୋର୍ ଟିମ୍ ସହ କେନ୍ଦ୍ରୀୟ ନେତୃତ୍ବ ଉପସ୍ଥିତ । ସେପଟେ ଦିଲ୍ଲୀ ଯାଇ ଫେରିଲେଣି ରାଜ୍ୟ ବିଜେଡିର ଦୁଇ ବଡ ଚେହେରା । ମେଣ୍ଟ ଚର୍ଚ୍ଚା ମଧ୍ୟରେ କେଉଁଠି ରହୁଛି କେଁ ସେ ନେଇ ଲାଗିରହିଛି ସସ୍ପେନ୍ସ । ଦୁଇ ଦଳର ନେତା କହୁଛନ୍ତି ମେଣ୍ଟ ନେଇ ଆଲୋଚନା ଚାଲିଛି । କିନ୍ତୁ ଘୋଷଣା କାହିଁକି କରାଯାଉ ନାହିଁ ତାହା ଚର୍ଚ୍ଚାକୁ ବଢାଉଛି । ମେଣ୍ଟ ହେଲେ କାହାକୁ କେତେ ସିଟ୍ ମିଳିବ ସେ ନେଇ ଭାଗ ଛିଡୁନଥିବା ସୂଚନା ମିଳିଛି।