ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା
ବାଲେଶ୍ୱର : ଲଘୁଚାପ ଜନିତ ବର୍ଷା ଯୋଗୁଁ ଲୋକେ ଏବେବି ଜଳବନ୍ଦୀ ଥିବା ବେଳେ ସୁବର୍ଣ୍ଣରେଖାର ସାମ୍ଭାବ୍ୟ ବନ୍ୟା ଜଳେଶ୍ୱର, ବାଲିଆପାଳ, ଭୋଗରାଇ ଓ ବସ୍ତା ବ୍ଲକ ର ତଳିଆ ଅଞ୍ଚଳ ବାସୀଙ୍କ ଚିନ୍ତା ବଢାଇଲାଣି । ସୂଚନା ମୁତାବକ ଗୁରୁବାର ସକାଳ ୬ଟା ସୁଦ୍ଧା ଜଳେଶ୍ୱର ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ସତର୍କ ସୂଚନା ୯.୪୬ମିଟର ଟପି ଥିବା ବେଳେ ଦିନ ପ୍ରାୟ ୨ ଟା ସୁଦ୍ଧା ବିପଦ ସଙ୍କେତ ୧୦.୩୬ମିଟର ଟପିବ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ରାଜଘାଟ ଠାରେ ଜଳସ୍ତର ୯.୭୦ ମିଟର ରେ ପ୍ରବାହିତ ହୋଇଛି ।
ସୁବର୍ଣ୍ଣରେଖା ଉପର ମୁଣ୍ଡରେ ଗତ ୪ ଦିନ ଧରି ୯୯୦ ମିମି ବର୍ଷା ହୋଇଥିବାରୁ ବୁଧବାର ନଦୀର ରାଜଘାଟ ଠାରେ ଜଳପତ୍ତନ ଦୃତ ବୃଦ୍ଧି ପାଇବାରେ ଲାଗିଛି । ଜଳେଶ୍ୱର ଅଞ୍ଚଳରେ ପ୍ରାୟ ୪୦୦ ମିମି ବର୍ଷା ହୋଇଥିବାରୁ ବିଭିନ୍ନ ପଞ୍ଚାୟତର ଗାଁ ଗୁଡିକ ପାଣି ଘେରରେ ରହିଛି । ବୁଧବାର ମଧ୍ୟରାତ୍ରି ସୁଦ୍ଧା ସୁବର୍ଣ୍ଣରେଖାର ଜଳପତ୍ତନ ବାଲେଶ୍ୱର ଜିଲାର ରାଜଘାଟ ଠାରେ ବିପଦ ସଂକେତ ଅତିକ୍ରମ କରିବ ବୋଲି ସୂଚନା ମିଳିଛି । ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଜଳେଶ୍ୱର ଅଞ୍ଚଳରେ ଅଦ୍ୟାବଧି ୪୦୦ ମିମି ବର୍ଷା ହୋଇଥିବା ବେଳେ ବୁଧବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୭୦ ମିମି ବର୍ଷା ହୋଇଥିବାର ସରକାରୀଭାବେ କୁହାଯାଇଛି । ସେହିପରି ସୁବର୍ଣ୍ଣରେଖା ନଦୀର ମୁରି, ଆଦିତ୍ୟପୁର, ଜାମସେଦପୁର, କରକାଇ, ଚନ୍ଦିଲି, ଘାଟଶିଳା, ଫେକଘାଟ, ଜାମଶୋଳାଘାଟ, ଗୋପିବଲ୍ଲଭପୁର ଓ ରାଜଘାଟ ଉପତ୍ୟାକାରେ ଗତ ୪ ଦିନ ମଧ୍ୟରେ ୯୯୦ ମିମି ବର୍ଷା ହୋଇଥିବାରୁ ନଦୀର ଜଳପତ୍ତନ ବୃଦ୍ଧିପାଇବାରେ ଲାଗିଛି । କେନ୍ଦ୍ରୀୟ ଜଳକମିଶନଙ୍କ ସୂଚନା ଅନୁଯାୟୀ ବୁଧବାର ସୁବର୍ଣ୍ଣରେଖାର ଚାନ୍ଦିଲି ଡେମ୍ଠାରେ ୭ଟି ଫାଟକ ଖୋଲାଯାଇ ୧୦୮୨.୭୨ କ୍ୟୁମେକ୍ ଓ ଗାଲୁଡିହଠାରେ ୭ଟି ଫାଟକ ଖୋଲାଯାଇଥିବା ବେଳେ ସେଠାରେ ୨୦୧୦.୪୫୦ କ୍ୟୁମେକ ବନ୍ୟାପାଣି ପ୍ରବାହିତ ହେଉଥିବା କହିଛନ୍ତି । ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ନିଶ୍ଚିତ ହୋଇଥିବାର କେନ୍ଦ୍ରୀୟ ଜଳ କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ବୁଧବାର ସନ୍ଧ୍ୟାରେ ରାଜଘାଟଠାରେ ଜଳପତ୍ତନ ୯.୩୦ ମିଟର ଅତିକ୍ରମ କରିଥିବା ବେଳେ ସେଠାରେ ସତର୍କସ୍ତର ୯.୪୫ ମିଟର ଓ ବିପଦ ସଂକେତ ୧୦.୩୬ ମିଟର ରିହିଛି । ନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଛି ଓ ବିପଦ ସଂକେତ ରାଜଘାଟଠାରେ ଛୁଇଁବା ସଂପର୍କରେ ଜଳସଂପଦ ବିଭାଗ ସୂତ୍ର୍ରରୁ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ର୍ର୍ରଭାସ ପ୍ରଧାନ ସୂଚନା ଦେଇଛନ୍ତି ।