ସାମ୍ବା ଜିଲାରେ ୪ଟି ସନ୍ଦିଗ୍ଧ ଡ୍ରୋନ୍ ଦୃଶ୍ୟମାନ
ଶ୍ରୀନଗର : ଦେଶରେ ଅନୁପ୍ରବେଶ କାରୀଙ୍କ ଉପରେ କଡା ପଦକ୍ଷେପ ନିଆଯାଉଛି । ଫଳରେ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀମାନେ ଅବାଧ ପ୍ରବେଶ କରିପାରୁ ନାହାନ୍ତି । ଫଳରେ ସେମାନେ ଡ୍ରୋନ୍ର ବ୍ୟାପକ ବ୍ୟବହାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲା ଅନ୍ତର୍ଗତ ବାରି ବ୍ରାହ୍ମଣ ଅଞ୍ଚଳରେ ରବିବାର ରାତି ପ୍ରାୟ ୮ଟା ୩୦ମିନିଟ ସମୟରେ ୪ଟି ସନ୍ଦିଗ୍ଧ ଡ୍ରୋନ୍ ଦୃଶ୍ୟମାନ ହୋଇଥିଲା। ବାରି ବ୍ରାହ୍ମଣ ଥାନାରେ ନିଯୁକ୍ତ ଜମ୍ମୁ ଓ କଶ୍ମୀରର ପୋଲିସ କର୍ମଚାରୀମାନେ ଉପରୋକ୍ତ ଡ୍ରୋନ୍ ସବୁ ଦେଖିଥିଲେ। କିନ୍ତୁ ସେ ଡ୍ରୋନ୍ଗୁଡ଼ିକ ରେଞ୍ଜ୍ ବାହାରେ ଥିବାରୁ ଅଧିକାରୀମାନେ ଗୁଳି ଚଳାଇ ପାରି ନ ଥିଲେ।ମାତ୍ର ଏଥିରେ ସହଯୋଗ କରିବା ଲାଗି ‘୯୨ ଇନ୍ଫାଣ୍ଟ୍ରି ବ୍ରିଗେଡ୍’ରେ ନିଯୁକ୍ତ ପ୍ରତିରକ୍ଷା ବଳଙ୍କୁ ଅନୁରୋଧ କରାଯାଇଛି । ସେଥିରୁ ଗୋଟିଏ ଡ୍ରୋନ୍ ଆର୍ମି କ୍ୟାମ୍ପ୍ ନିକଟରେ ଉଡୁଥିବା ନେଇ ସାମ୍ବା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରାଜେଶ ଶର୍ମା ସୋମବାର କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ବାସିନ୍ଦା ଆକାଶରେ ଆଲୋକ ଦପଦପ କରୁଥିବା ଦେଖିବା ପରେ ନିକଟସ୍ଥ ଥାନାରେ ଜଣାଇଥିଲେ ଏବଂ ପରେ ତୁରନ୍ତ ସୁରକ୍ଷା ବାହିନୀ ଯବାନମାନେ ସଜାଗ ହୋଇଯାଇଥିଲେ। ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପାଳନ ଏବଂ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦର ଦ୍ୱିତୀୟ ବର୍ଷ ପାଳନ ପୂର୍ବରୁ ଏଭଳି ଡ୍ରୋନ ଉଡାଣ ଘଟଣା ବୃଦ୍ଧିପାଇଛି। ନିକଟରେ ଗୋଟିଏ ଡ୍ରୋନକୁ କାଲାଚୁକ ଅଞ୍ଚଳରେ ଠାବ କରାଯିବା ପରେ ନିରାପତ୍ତା ବାହିନୀ ଯବାନ ତାକୁ ଗୁଳିକରି ତଳକୁ ଖସାଇ ଦେଇଥିଲେ। ପାକିସ୍ତାନ ପଟୁ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବାରମ୍ବାର ଡ୍ରୋନ ଉଡାଣ କରୁଥିବାରୁ ଭାରତୀୟ ଯବାନଙ୍କୁ ପୂର୍ଣ୍ଣ ସଜାଗ ରଖାଯାଇଛି। ବିଶେଷକରି ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ସ୍ଥଳ ଉପରେ ଡ୍ରୋନ ସହାୟତାରେ ଆକ୍ରମଣ କରାଯିବା ପରଠାରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏହି ଘଟଣାରେ ଚାଇନା ନିର୍ମିତ ଦୁଇଟି ଡ୍ରୋନରୁ ବାୟୁସେନା ସ୍ଥଳ ଉପରେ ଆରଡିଏକ୍ସ ଏବଂ ନାଇଟ୍ରେଟ ପକାଯାଇଥିଲା। ଉଭୟ ଡ୍ରୋନରେ ବେଆଇନ ଘୋଷିତ ଆତଙ୍କି ଗୋଷ୍ଠୀ ଲସ୍କର ଇ ତଇବାର ଚିହ୍ନ ଥିବା ଭାରତୀୟ ଯବାନମାନେ କହିଛନ୍ତି। ଇତିମଧ୍ୟରେ ଉକ୍ତ ବାୟୁସେନା ସ୍ଥଳରେ ଡ୍ରୋନ ନିରୋଧୀ ବ୍ୟବସ୍ଥା ସ୍ଥାପନ କରାଯିବା ସହିତ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏହି ଘଟଣ।।ର ତଦନ୍ତ କରୁଛି।
ସୂଚନା ଯେ, ଗତ ଶୁକ୍ରବାର ମଧ୍ୟ ସାମ୍ବା ସାମ୍ବାର ତିନୋଟି ପୃଥକ୍ ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା। ସେହିଭଳି, ଜୁଲାଇ୧୬ ତାରିଖରେ ଜମ୍ମୁ ଏୟାର୍ ବେସ୍ ଆଖପାଖରେ ଉଡୁଥିବା ଅନ୍ୟ ଏକ ଡ୍ରୋନ୍ ସେଠାରେ ‘ନ୍ୟାସ୍ନାଲ୍ ସିକ୍ୟୁରିଟି ଗାର୍ଡ’ ମୁତୟନ କରିଥିବା ‘ଆଣ୍ଟି-ଡ୍ରୋନ୍’ ସିଷ୍ଟମ୍ରେ ଧରାପଡ଼ିଥିଲା। ଗତ ମାସରେ ଜମ୍ମୁ ଏୟାର୍ ବେସ୍ରେ ଡ୍ରୋନ୍ ଆକ୍ରମଣ ହେବା ପରେ ‘ନ୍ୟାସ୍ନାଲ୍ ସିକ୍ୟୁରିଟି ଗାର୍ଡ’ ସହରରେ ‘ଆଣ୍ଟି-ଡ୍ରୋନ୍ ସିଷ୍ଟମ୍’ ମୁତୟନ କରିଛି।