ବାଲେଶ୍ୱର : ସଜନାଗଡ଼ ଫରେଷ୍ଟ ନର୍ସରୀରୁ ଜବଦ୍ କରତକଳ ଯନ୍ତ୍ରାଂଶ ଚୋରି, ଥାନାରେ ଅଭିଯୋଗ
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ବନଖଣ୍ଡ ଅନ୍ତର୍ଗତ ସଜନାଗଡ଼ ଫରେଷ୍ଟ ନର୍ସରୀରୁ ଜବଦ୍ କରତକଳ ଯନ୍ତ୍ରାଂଶ ଚୋରି । ଏନେଇ ବନବିଭାଗ ପକ୍ଷରୁ ନୀଳଗିରି ଥାନାରେ ଅଭିଯୋଗ । ବନବିଭାଗ ଆୟତରୁ ଚୋରି ହେବା ଘଟଣାକୁ ନେଇ ସାଧାରଣରେ ଆଲୋଚନା ଜୋର୍ ଧରିଛି ।
ସୂଚନା ଯେ, ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଚୋରା ବେଆଇନ କରତ କଳ ବୃଦ୍ଧି ହେଉଥିବା ବେଳେ ବାଲେଶ୍ୱର ବନଖଣ୍ଡ ଅଧିକାରୀ ବିମଳ ପସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଏହି ମାସ ମଧ୍ୟରେ ବନବିଭାଗ ନେତୃତ୍ୱ ପୋଲିସର ସହଯୋଗ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ କରି ତିନୋଟି କରତକଳ ଏବଂ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଥିଲା । ବନବିଭାଗ ଏହି ଯନ୍ତ୍ରାଂଶ ଗୁଡ଼ିକୁ ସଜନାଗଡ଼ ଫରେଷ୍ଟ ନର୍ସରୀରେ ରଖିଥିଲେ । ଏହାସହ ବର୍ଷ ତମାମ ବନବିଭାଗ ଉଦ୍ଧାର କରିଥିବା ଚୋରା କାଠଗାଡି, କେନ୍ଦୁପତ୍ର ଗାଡ଼ି ଇତ୍୍ୟାଦି ଏଠାରେ ରଖିଥାନ୍ତି । ବନବିଭାଗ ପକ୍ଷରୁ ଅହୋରାତ୍ର ପାଳି କରି ସବୁଜବାହିନୀର କର୍ମଚାରୀ ଜଗିଥାଆନ୍ତି । କିନ୍ତୁ ଏହି ମାସ ମଧ୍ୟରେ ଜବଦ୍ କରିଥିବା କରତ କଳର ଯନ୍ତାଂଶ ସାତ ଆଠ ଦିନ ପରେ ବନବିଭାଗ ଆୟତରୁ ଚୋରି ହୋଇଥିବା ସୂଚନା ମିଳିବା ପରେ ନୀଳଗିରି ବନବିଭାଗର ରେଞ୍ଜର ମନୱାର ଖାଁ ଙ୍କୁ ପଚାରିବାରୁ ସେ ଏହାକୁ ସ୍ୱୀକାର କରିଥିଲେ । ଏନେଇ କଣ ତଦନ୍ତ ଓ କିପ୍ରକାର କାର୍ଯାନୁଷ୍ଠାନ ବିଷୟରେ ପଚାରିବାରୁ ସେ କିଛି ନକହି ଏନେଇ ବନବିଭାଗ ପକ୍ଷରୁ ନୀଳଗିରି ଥାନାରେ ଅଭିଯୋଗ କରାଯାଇଥିବା ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ନର୍ସରୀରୁ ଚାରି ପାଖରେ ଥିବା ତାରବାଡ଼ ଦୁର୍ବଳ ହୋଇଥିବା, ସିସି କ୍ୟାମେରା ନଥିବା ବେଳେ କିପରି ଲକ୍ଷାଧିକ ଟଙ୍କାର ଜିନିଷ ରହି ଆସୁଥିଲା । ଚୋରି ହେବାର କୋଡ଼ିଏ ଦିନରୁ ଉର୍ଦ୍ଧ୍ୱ ହୋଇ ଥିବାବେଳେ ବନବିଭାଗ ହାତ ଖାଲି ଓ ଏହି ଯନ୍ତ୍ରାଂଶ ଚୋରି ହେବା ଘଟଣା ବନବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।