୩ଟି ଆବର୍ଜନା ରିକ୍ସାରୁ ଲକ୍ଷାଧିକ ଟଙ୍କାର ବ୍ୟାଟେରୀ ଚୋରି
ବସ୍ତା : ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ବ୍ଲକ ଦୁର୍ବୃର୍ତ୍ତଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଚର୍ଚ୍ଚା ହେଉଛି । ବିଭିନ୍ନ ସମୟରେ ବ୍ଲକ ଭିତରେ ପଶି ଲୁଟ୍ ହେଉଥିବା ଦେଖିବାକୁ ମିଳୁଛି । ହେଲେ ପ୍ରଶାସନ ପକ୍ଷରୁ କୌଣସି ଲଗାମ ନ ଥିବାରୁ ଦୁର୍ବୃତ୍ତଙ୍କ ରାଜ ବଢ଼ି ଚାଲିଛି । ବ୍ଲକ ଅଞ୍ଚଳର ଆବର୍ଜନା ଉଠେଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୬ଟି ବ୍ୟାଟେରୀ ଚାଳିତ ଆବର୍ଜନା ରିକ୍ସା ଆସିଥିଲା । ୩ ଟି ରିକ୍ସା ବଣ୍ଟନ କରାଯାଇଥିଲା ବେଳେ ୩ଟି ରିକ୍ସାକୁ ବ୍ଲକ ପରିସରରେ ଥିବା ପାର୍କିଂ ଜୋନ୍ ଭିତରେ ରଖା ଯାଇଥିଲା । ରବିବାର ବିଳମ୍ବିତ ରାତିରେ ବ୍ଲକ ଭିତରକୁ ପଶି ୩ଟି ଆବର୍ଜନା ରିକ୍ସାରୁ ୯ଟି ବ୍ୟାଟେରୀକୁ କେହି ଦୃର୍ବୁତ୍ତ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୧୭ହଜାର ଟଙ୍କା ହେବବୋଲି ଜଣା ପଡ଼ିଛି । ସୋମବାର ଉକ୍ତ ରିକ୍ସାରେ ବ୍ୟାଟେରୀ ନଥିବା ଦେଖି କର୍ମଚାରୀମାନେ ଚୋରୀ ହୋଇଥିବା ସମ୍ପର୍କରେ ବିଡ଼ିଓ ଜ୍ଞାନ ରଞ୍ଜନ ସାହୁଙ୍କୁ ଜଣାଇଥିଲେ । ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ବସ୍ତା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି ।
ସୂଚନା ଯେ, କିଛିଦିନ ପୂର୍ବରୁ ବ୍ଲକରେ ଲାଗିଥିବା ହେଲୋଜିନ ଲାଇଟ ସବୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ତେବେ ବ୍ଲକ ପରିସରରେ ସିସିଟିଭି କ୍ୟାମେରା ଏବଂ ସିକ୍ୟୁରିଟି ଗାର୍ଡ଼ ରହୁଥିବା ବେଳେ ବାରମ୍ବାର ଦୃର୍ବୃତ୍ତମାନେ କିପରି ଏହାକୁ ଭ୍ରୁକ୍ଷେପ ନକରି ଚୋରି କରୁଛନ୍ତି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।