ବିଶ୍ୱ ପାଳୁଛି ପଖାଳ ଦିବସ, ଜାଣନ୍ତୁ କେତେ ପ୍ରକାର ପଖାଳ ଖାଆନ୍ତି ଓଡ଼ିଆ ?
ଆଜି ମାର୍ଚ୍ଚ ମାସ ୨୦ ତାରିଖ । ଆଜିର ଦିନକୁ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଖରା ଦିନ ଆସିଗଲେ ଓଡ଼ିଆ ଘରେ ଖୋଜା ପଡ଼େ ପଖାଳ। ଓଡିଆଙ୍କ ଏହି ପାରମ୍ପରିକ ଓ ପ୍ରିୟ ଖାଦ୍ୟକୁ ମିଳିଛି ସ୍ୱତନ୍ତ୍ର ପରିଚୟ। ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ। ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱର କୋଣଅନୁକୋଣରେ ଓଡ଼ିଆଙ୍କର ଏହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଅର୍ଥାତ ବର୍ଷର ଆଜି ଦିନଟିକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।
ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଏଠି ଘରେ ଘରେ ପଖାଳ ହେଉଛି ପ୍ରତି ଓଡ଼ିଆଙ୍କ ସବୁଠାରୁ ପ୍ରିୟ ଖାଦ୍ୟ । ବିଶେଷ କରି ଖରା ଦିନରେ ଏହି ପଖାଳ ର ଚାହିଦା ସବୁଠାରୁ ଅଧିକ । ଏମିତିକି କୋଟି ବ୍ରହ୍ମାଣ୍ଡର ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମଧ୍ୟ ପଖାଳ ଲାଗିଥାଏ । ବଡ଼ ଠାକୁର ବି ପଖାଳ ଖାଇବାକୁ ଭଲ ପାଆନ୍ତି । ସେଥିପାଇ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବେଳେ ଦହି ଭାସେ ତ ଆଉ କେତେବେଳ ଘିଅ ।
କେବଳ ଯେ ଖାଦ୍ୟ କହିଲେ ହୁଏତ ଭୁଲ ହେବ ପକାଳ ଓଡ଼ିଆଙ୍କ ସହସ୍କୃତି, ବିଚାରଧାରା, ଗୀତ ଓ ସାହିତ୍ୟ ସହ ଓତପ୍ରୋତଃ ଭାବେ ଜଡ଼ିତ । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ । ପଖାଳ ଓଡ଼ିଆ ମାନଙ୍କର ଗର୍ବ, ଐତିହ୍ୟ, ଓ ଅମୃତ ସଦୃଶ ।
ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି ।
ପୂର୍ବରୁ ପଖାଳକୁ ଗରିବର ଖାଦ୍ୟ ବୋଲି କୁହାଯାଉଥିଲା। ହେଲେ ଏହି ପରିଚୟ କ୍ରମଶଃ ବଦଳି ଯାଇଛି। ଆଜିକାଲିର ଚାକଚକ୍ୟ ଭରା ଦୁନିଆରେ ମଧ୍ୟ ପଖାଳ ତା’ର ଅସ୍ତିତ୍ୱ ହରାଇ ନାହିଁ। ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲର ମେନୁରେ ମଧ୍ୟ ପଖାଳର ଚାହିଦା ଢେର ଅଧିକ। ପଖାଳ କଂସାଏ ସାଙ୍ଗକୁ ଆଳୁ ଭରତା, ବାଇଗଣ ପୋଡ଼ା, ବଢ଼ିଚୁରା, ମାଛଭଜା, ଶାଗ, ବଡ଼ିଚୁରା ହୋଇଗଲେ କଥା ନିଆରା। କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କୌଣସି ଫାଷ୍ଟ ଫୁଡ୍ରେ କେବେବି ମିଳେ ନାହିଁ। ସବୁ ଦୃଷ୍ଟିରୁ ପଖାଳ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟପ୍ରଦ। ପାଶ୍ଚାତ୍ୟମୁଖୀ ହୋଇ ଓଡ଼ିଆମାନେ ନିଜ ସଂସ୍କୃତି, ପରମ୍ପରା ଓ ଖାଦ୍ୟକୁ ଭୁଲି ଯାଇଥିବା ବେଳେ ପଖାଳକୁ କିନ୍ତୁ ଭୁଲି ପାରି ନାହାନ୍ତି।
ବିଭିନ୍ନ ଦେବାଦେବୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗିବାର ମଧ୍ୟ ପରମ୍ପରା ଅଛି। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଆଦି ପକାଯାଏ। ନିଜ ପସନ୍ଦ ଅନୁଯାୟୀ, ଲୋକେ ସଜ ପଖାଳ, ବାସି ପଖାଳ, ଦହି ପଖାଳ ତ ଛୁଙ୍କ ପଖାଳ ଖାଇବାକୁ ଭଲ ପାଇଥାନ୍ତି। ଖରା ଦିନେ ତ ପଖାଳର ଚାହିଦା ଅଧିକ। ତେଣୁ ଏହି ସମୟରେ ଘର ସହିତ ବଡ଼ ବଡ଼ ହୋଟେଲ ରେ ବି ଏହା ମିଳିଥାଏ। ପଖାଳର ଲୋକପ୍ରିୟତା ଏତେ ଯେ ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ।
ଆସନ୍ତୁ ଜାଣିବା ପଖାଳ କେତେ ପ୍ରକାରର ଆଉ କଣ କଣ ? :
ସୁବାସ ପଖାଳ :
ପ୍ରଥମେ କୁଡ଼ୁଆରେ ଅନ୍ନ ରନ୍ଧା ହୋଇ ସାରିବା ପରେ ସେଥିରେ ପାଣି ମିଶିଥାଏ । ଏଥିରେ ସ୍ୱାଦ ଅନୁସାରେ ଲୁଣ,କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ଅର୍ପଣ କରାଯାଏ । ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପାରିକ ଭାବେ ଏହାକୁ ସୁବାଶ ପଖାଳ ବୋଲି କୁହାଯାଏ ।
ଚୁପୁଡ଼ା ପଖାଳ :
ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡ଼ି ଦିଆଯାଏ । ଏଥିରେ ଭଜା ଜିରା,ଲୁଣ ହହି ପକାଇ ଏକାହୁ ପ୍ରସ୍ତୁତ କରାଯାଇଥାଏ ।
ପାଣି ପଖାଳ :
ଋନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଲୁଣ ମିଶାଇ ଏହି ପଖାଳକୁ ପ୍ରସ୍ତୁତ କରାଯାଇଥାଏ ।
ଦହି ପଖାଳ :
ଶୁଖିଲା ଅନ୍ନରେ କେବଳ ଦହି ପକାଇ ଏହାକୁ ପ୍ରସ୍ତୁତ କରାଯାଏ । ଏଥିରେ ଦହିର ମାତ୍ରା ଅଧିକ ଥାଏ ।
ମଲ୍ଲିଫୁଲ ପଖାଳ :
ଏହି ପଖାଳ ହହି ପଖାଳ ଭଳି ପ୍ରସ୍ତୁତ କରାଯାଇଥାଏ ।ଏହାକୁ ସୁବାସିତ କରିବା ପାଇଁ ମଲ୍ଲୀଫୁଲ ପକାଇ ଦିଆଯାଇଥାଏ ।
ଘିଅ ପଖାଳ :
ସାଧା ଅନ୍ନ ,ଲୁଣ,ଅଦା ଖଣ୍ଡ ଦହି ଭଜାଜିରା ଇତ୍ୟାଦି ପକାଯାଇ ଘିଅ ମିଶାଯାଇଥାଏ । ଏହାକୁ ଘିଅ ପଖାଳ କୁହାଯାଇଥାଏ ।