ଅଧାରୁ ବନ୍ଦ ହେଲା ସଂସଦର ଶୀତ ଅଧିବେଶନ
- ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ
- ମୋଟ ୨୪ ଦିନ ମଧ୍ୟରେ ୧୮ଟି ବୈଠକ ଅନୁଷ୍ଠିତ
- ସଂସଦର ଉଭୟ ସଦନରେ ୧୧ଟି ବିଲ ପାରିତ; ଲୋକସଭାରେ ୧୨ ଏବଂ ରାଜ୍ୟସଭାରେ ଗୋଟିଏ ବିଲ ଆଗତ
- ଲୋକସଭାରେ ୮୨ ପ୍ରତିଶତ ଏବଂ ରାଜ୍ୟସଭାରେ ପ୍ରାୟ ୪୮ ପ୍ରତିଶତ କାର୍ଯ୍ୟ ସମ୍ପାଦନ
ନୂଆଦିଲ୍ଲୀ : କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ସଂସଦୀୟ ବ୍ୟାପାର ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି. ମୁରଲୀଧରନ ଆଜି ଏଠାରେ ଗଣମାଧ୍ୟମକୁ ଉଦବୋଧନ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ସୂଚନା ଦେଇଥିଲେ ଯେ ସଂସଦର ଶୀତକାଳୀନ ଅଧିବେଶନ, ୨୦୨୧କୁ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଏହି ଅଧିବେଶନ ୨୯ ନଭେମ୍ବର, ୨୦୨୧ ସୋମବାର ଦିନ ଆରମ୍ଭ ହୋଇଥିଲା । ଏହାର କାର୍ଯ୍ୟକାଳ ଡିସେମ୍ବର ୨୩, ଗୁରୁବାର ପର୍ଯ୍ୟନ୍ତ ଥିଲା । ତେବେ ଏହାକୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ୨୨ ଡିସେମ୍ବର ୨୦୨୧ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଜରୁରି ସରକାରୀ କାର୍ଯ୍ୟ ଦିବସର ଗୋଟିଏ ଦିନ ପୂର୍ବରୁ ସଂସଦକୁ ମୁଲତବୀ ରଖାଯାଇଛି । ମୋଟ ୨୪ ଦିନ ମଧ୍ୟରେ ଏହି ଅଧିବେଶନରେ ୧୮ଟି ବୈଠକ ବସିଥିଲା । ଏହି ଅଧିବେଶନ କାଳରେ, ଲୋକସଭାରେ ୧୨ଟି ଏବଂ ରାଜ୍ୟସଭାରେ ଗୋଟିଏ ମିଶାଇ ମୋଟ ୧୩ଟି ବିଲ ଉପସ୍ଥାପନ କରାଯାଇଥିଲା । ୧୧ଟି ବିଲ ସଂସଦର ଉଭୟ ସଦନରେ ଗୃହୀତ ହୋଇଥିଲା । ଏଥିରେ ଗୋଟିଏ ଅର୍ଥ ବିଧେୟକ ସାମିଲ ରହିଛି । ଏହା ୨୦୨୧-୨୨ ଆର୍ôଥକ ବର୍ଷର ଅତିରିକ୍ତ ଅନୁଦାନ ସହ ଜଡ଼ିତ । ଏହି ବିଲ ଲୋକସଭାରେ ପାରିତ ହେବା ପରେ ଅନୁଚ୍ଛେଦ ୧୦୯(୫) ଅଧୀନରେ ଧାର୍ଯ୍ୟ ଅବଧି ଶେଷ ହେବାର ୧୪ ଦିନ ପରେ ରାଜ୍ୟସଭାରେ ମଧ୍ୟ ପାରିତ ହେଲା ବୋଲି ଗ୍ରହଣ କରାଯିବ ।
ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ଅଧ୍ୟାଦେଶ ସ୍ଥାନରେ ୩ଟି ବିଲ ସଂସଦର ଉଭୟ ଗୃହରେ ଅନୁମୋଦନ ଲାଭ କରିଛି । ସେଗୁଡ଼ିକ ହେଲା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସଂଶୋଧନ ଅଧ୍ୟାଦେଶ, ୨୦୨୧ (୨୦୨୧ର ୯), ଦିଲ୍ଲୀ ସ୍ୱତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ଅଧ୍ୟାଦେଶ, ୨୦୨୧ (୨୦୨୧ର ୧୦) ଏବଂ ନାର୍କୋଟିକ ଡ୍ରଗ୍ସ ଓ ସାଇକୋଟ୍ରପିକ ସବଷ୍ଟାନ୍େସସ (ସଂଶୋଧନ) ଅଧ୍ୟାଦେଶ ୨୦୨୧ (୨୦୨୧ର ୮) । ଜୈବ ବିବିଧତା (ସଂଶୋଧନ) ବିଲ, ୨୦୨୧ ସଂସଦର ଉଭୟ ସଦନର ଯୁଗ୍ମ ସମିତିକୁ ସୁପାରିସ କରାଯାଇଥିଲଶ । ସେହିପରି ଷ୍ଟାଣ୍ଡିଂ କମିଟିର ବିଚାର ପାଇଁ ୫ଟି ବିଲ ପଠାଯାଇଥିଲା । ସେହିପରି ଅଧ୍ୟାଦେଶ ସ୍ଥାନରେ ଆଉ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ ସଂସଦର ଉଭୟ ସଦନରେ ଅନୁମୋଦନ ଲାଭ କରିଥିଲା । ଏଥିରେ ରହିଛି କୃଷି ଆଇନ ଉଚ୍ଛେଦ ବିଲ ୨୦୨୧ । ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନ ଏବଂ ସ୍ୱାଧୀନତାର ୭୫ତମ ବର୍ଷରେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବା ଉଦ୍ଦେଶ୍ୟରେ ତିନୋଟି କୃଷି ଆଇନକୁ ଉଚ୍ଛେଦ କରିବା ଲାଗି ସଂସଦରେ ବିଲ ଆଗ କରାଯାଇଥିଲା । ଏହି ତିନୋଟି କୃଷି ଆଇନ ହେଉଛି-ମୂଲ୍ୟ ସୁନିଶ୍ଚିତତା ଉପରେ ଚାଷୀ (ସଶକ୍ତିକରଣ ଏବଂ ସୁରକ୍ଷା) ରାଜିନାମା, କୃଷି ସେବା ଆଇନ, ୨୦୨୦, ଚାଷୀଙ୍କ ଉତ୍ପାଦିତ ଫସଲ ବାଣିଜ୍ୟ ଏବଂ ବ୍ୟବସାୟ (ପ୍ରୋତ୍ସାହନ ଓ ସୁବିଧା) ଆଇନ ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଚାଷୀଙ୍କ ସାମଗ୍ରୀକ ବିକାଶ ଲକ୍ଷ୍ୟ ନେଇ ଏସବୁ ବିଲ ସେପ୍େଟମ୍ବର ୨୦୨୦ରେ ସଂସଦରେ ପାରିତ ହୋଇଥିଲା । ନଦୀବନ୍ଧ ସୁରକ୍ଷା ବିଲ, ୨୦୨୧ ମଧ୍ୟ ସଂସଦର ଅନୁମୋଦନ ଲାଭ କରିଛି । ଏହା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନଦୀବନ୍ଧର ନିରୀକ୍ଷଣ, ଅନୁଧ୍ୟାନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ସୁବିଧା ଯୋଗାଇ ଦେବ । ଯାହାଫଳରେ ନଦୀବନ୍ଧ ବିଫଳତା ଜନିତ ବିପର୍ଯ୍ୟୟ ନିରାକରଣ କରିବା ଲାଗି ଏକ ସଂସ୍ଥାଗତ ବ୍ୟବସ୍ଥା ଯୋଗାଇ ଦିଆଯିବ । ଏଗୁଡ଼ିକର ନିରାପଦ ପରିଚାଳନା ସୁନିଶ୍ଚିତ କରିବ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଲ ହେଉଛି ସହାୟକ ପ୍ରଜନନ ପ୍ରଯୁକ୍ତି (ନିୟାମକ) ବିଲ ୨୦୨୧ । ଏହା ସହାୟକ ପ୍ରଜନନ ପ୍ରଯୁକ୍ତି କ୍ଲିନିକ, ସହାୟକ ପ୍ରଜନନ ପ୍ରଯୁକ୍ତି ବ୍ୟାଙ୍କର ନିୟାମକ ଏବଂ ନିରୀକ୍ଷଣ ପାଇଁ ଜାତୀୟ ବୋର୍ଡ, ରାଜ୍ୟ ବୋର୍ଡ ଏବଂ ଜାତୀୟ ରେଜିଷ୍ଟ୍ରୀ ସ୍ଥାପନରେ ସହାୟକ ହେବ । ଏହା ସହାୟକ ପ୍ରଜନନ ପ୍ରଯୁକ୍ତିର ଅପବ୍ୟବହାର ରୋକିବା ସହ ଏହି କ୍ଷେତ୍ରରେ ନିରାପଦ ଏବଂ ନୈତିକ କାର୍ଯ୍ୟଧାରା ପ୍ରତିଷ୍ଠା କରିବ । ସେହିପରି ସରୋଗେସୀ (ନିୟାମକ) ବିଲ ୨୦୨୧, ଦେଶରେ ସରୋଗେସୀ ସେବାର ନିୟାମକ ପାଇଁ ବ୍ୟବସ୍ଥା କରିବା ସହିତ ସରୋଗେସୀ କରୁଥିବା ମା’ ଏବଂ ଶିଶୁଙ୍କର ଅଧିକାରକୁ ସୁରକ୍ଷା ଦେବ । ଏହାଛଡ଼ା ଜାତୀୟ ଫାର୍ମସ୍ୟୁଟିକାଲ୍ସ ଶିକ୍ଷା ଏବଂ ଗବେଷଣା ସଂଶୋଧନ ବିଲ, ୨୦୨୧ ଦେଶରେ ଫାର୍ମସ୍ୟୁଟିକାଲ ଶିକ୍ଷା ଓ ଗବେଷଣା ଆଇନ ଅଧୀନରେ ପ୍ରତିଷ୍ଠିତ ସଂସ୍ଥାନଗୁଡ଼ିକ ମଧ୍ୟରେ ସମନ୍ୱୟ ଆଣିବ । ଭୋଟର ପରିଚୟପତ୍ର ଏବଂ ଆଧାର କାର୍ଡ ସଂଯୋଗ ପାଇଁ ମାର୍ଗ ପ୍ରଶସ୍ତ କରିବା ଲାଗି ସଂସଦରେ ନିର୍ବାଚନ ଆଇନ (ସଂଶୋଧନ) ବିଲ ମଧ୍ୟ ଅନୁମୋଦନ ଲାଭ କରିଥିଲା । ସେହିପରି ଲୋକସଭାରେ ନିୟମ ସଂଖ୍ୟା ୧୯୩ ଅନୁଯାୟୀ ଦୁଇଟି କ୍ଷୁଦ୍ର ଅବଧିର ଆଲୋଚନା ହୋଇଥିଲା । କୋଭିଡ-୧୯ ମହାମାରୀ ଓ ଏହା ସଂକ୍ରାନ୍ତ ବିଭିନ୍ନ ଦିଗ ଏବଂ ଜଳବାୟୁ ପରିବର୍ତନ ପ୍ରସଙ୍ଗ ଏଡି ଆଲୋଚନାରେ ସ୍ଥାନ ପାଇଥିଲା ।ରାଜ୍ୟ ସଭାରେ କୋଭିଡ-୧୯ର ଓମିକ୍ରନ ଭୂତାଣୁ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଲୋକସଭାରେ ପାଖାପାଖି ୮୨ ପ୍ରତିଶତ କାର୍ଯ୍ୟ ହୋଇଥିବା ବେଳେ ରାଜ୍ୟସଭାରେ ପ୍ରାୟ ୪୮ ପ୍ରତିଶତ କାର୍ଯ୍ୟ ସମ୍ପାଦନ ହୋଇଥିଲା ।