ଋଷ ବିରୋଧରେ କଡା ପଦକ୍ଷପ ନେଲା ଆମେରିକା
ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଇବା ସହ ଋଷ ବିରୋଧରେ ମୁତୟନ କରିବ ନାଟୋ ସୈନ୍ୟ
ୱାଶିଂଟନ୍ : ପାଶ୍ଚାତ୍ୟ ରାଷ୍ଟ୍ର ସହ ଆର୍ଥିକ ଓ ବାଣିଜ୍ୟକ ସମ୍ପର୍କ ଉପରେ କଟକଣା ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହା ସହ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଯିବା ସହ ଋଷ ବିରୋଧରେ ନାଟୋ ସୈନ୍ୟ ମୁତୟନ କରିବ ବୋଲି ସେ କହିଛନ୍ତି । ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଇ ବାଇଡେନ କହିଛନ୍ତି- ୟୁକ୍ରେନ ପ୍ରସଙ୍ଗରେ ଋଷ ବିଶ୍ୱ ସମୁଦାୟର ନିଷ୍ପତ୍ତିକୁ ଅବମାନନା କରିଥିବାରୁ ଏହି କଟକଣା ଜାରି କରାଯାଇଛି ।
ବାଇଡେନଙ୍କ ନିଷ୍ପତ୍ତିର କିଛି ଘଣ୍ଟା ପୂର୍ବରୁ ଜର୍ମାନୀ ଓ ବ୍ରିଟେନ ମଧ୍ୟ ସମଧରଣର ପଦକ୍ଷେପ ନେଇଥିଲେ । ୟୁରୋପ ସହ ଋଷର ଗ୍ୟାସ ପାଇପଲାଇନ ସଂଯୋଗ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-2କୁ ବାତିଲ କରିଛନ୍ତି ଜର୍ମାନୀ ଚାନସେଲର ଓଲାଫ ସ୍କଜ । ଋଷର ୫ଟି ବୃହତ ବ୍ୟାଙ୍କ ଓ ୩ ଜଣ ପ୍ରମୁଖ ବ୍ୟବସାୟୀଙ୍କ ବିରୋଧରେ କଟକଣା ଜାରି କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଋଷର ୨୭ ପ୍ରମୁଖ ବ୍ୟକ୍ତି, ପ୍ରତିଷ୍ଠାନ ଓ ବ୍ୟାଙ୍କ, ଋଷ ପାର୍ଲାମେଣ୍ଟ ନିମ୍ନ ସଦନ ଡୁମାର ୩୫୧ ସଦସ୍ୟଙ୍କ ଉପରେ ମଧ୍ୟ ୟୁରୋପୀୟ ରାଷ୍ଟ୍ରସଂଘ କଟକଣା ଜାରି କରିଛି । ଋଷ ବିରୋଧରେ ଆମେରିକାର କଟକଣା ଯୋଗୁ ଆମେରିକା ଓ ଜର୍ମାନୀର ଅନେକ ବ୍ୟାଙ୍କ ବି କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ଋଷର ଦୁଇ ବିଶାଳ ତୈଳ ଓ ଗ୍ୟାସ ଯୋଗାଣକାରୀ କମ୍ପାନି ଗାଜପ୍ରମ ଓ ରୋସନେଫ୍ଟରୁ ପାଶ୍ଚାତ୍ୟ ରାଷ୍ଟ୍ର ତୈଳ ଓ ଗ୍ୟାସ କିଣିପାରିବେ ନାହିଁ । ସେପଟେ ଋଷ ସହ ଉତ୍ତମ ସମ୍ପର୍କରେ ଥିବା ଇଟାଲି, ହଙ୍ଗେରୀ ଓ ଅଷ୍ଟ୍ରିଆ ଏହି କଟକଣାକୁ ଗ୍ରହଣ କରିବେ ନାହିଁ ସୂଚନା ମିଳିଛି ।