‘ଡେଲ୍ଟା ପ୍ଲସ୍ ଭେରିଆଣ୍ଟ୍’ର ନିୟନ୍ତ୍ରଣ ନିମନ୍ତେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରସରକାର
ନୂଆଦିଲ୍ଲୀ : କେତେକ ରାଜ୍ୟରେ ନୂତନ ଚିହ୍ନିତ ‘ଡେଲ୍ଟା+ ଭେରିଆଣ୍ଟ୍’ ସଂକ୍ରମଣ ମାମଲା ଦେଖା ଦେଇଥିବାରୁ ଅବିଳମ୍ବେ ନିୟନ୍ତ୍ରଣାତ୍ମକ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦେଶ ଦେଇଛନ୍ତି। ଏଭଳି ସଂକ୍ରମଣ ରିପୋର୍ଟ ଆସୁଥିବା ଜିଲ୍ଲାଗୁଡ଼ିକରେ ଜନସମାଗମ କରାଇ ନ ଦେବା, କୋଭିଡ୍-୧୯ ପରୀକ୍ଷା ଏବଂ ଟିକାକରଣ ଅଭିଯାନ ଆଦି ତ୍ବରାନ୍ବିତ କରିବା ଭଳି ପଦକ୍ଷେପ ସବୁ କେନ୍ଦ୍ର ସରକାରଙ୍କ ନିର୍ଦେଶନାମାରେ ଅନ୍ତର୍ଭୁକ୍ତ ଅଛି। ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କଶ୍ମୀର, ଗୁଜରାଟ ଏବଂ ହରିୟାଣା ସରକାରଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଉକ୍ତ ପତ୍ରରେ ପ୍ରାଥମିକତା ଭିତ୍ତିରେ ‘କଣ୍ଟେନ୍ମେଣ୍ଟ୍ ମେଜର୍’ ବା ଦମନମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି।
ଚିଠିରେ ସେ ଆହୁରି ମଧ୍ୟ କହିଛନ୍ତି, କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେଉଥିବା ଲୋକମାନଙ୍କଠାରୁ ସଂଗୃହୀତ ନମୁନାଗୁଡ଼ିକୁ ‘ଡେଜିଗ୍ନେଟେଡ୍ ଲାବ୍ରଟରିଜ୍ ଅଫ୍ ଇଣ୍ଡିଆନ୍ ସାର୍ସ-କୋ-୨ ଜିନୋମିକ୍ କନ୍ସର୍ଟିଆ’କୁ ପଠାଇବାକୁ କହିଛନ୍ତି। ଫଳରେ, ନୈଦାନିକ ମହାମାରୀୟ ସମନ୍ବୟତା ରକ୍ଷା କରାଯାଇପାରିବ। ଏହାଛଡ଼ା, କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ, ଦେଶରେ ଏଯାବତ୍ ‘ସିକ୍ବେନ୍ସ୍’ କରାଯାଇଥିବା ୪୫୦୦୦ ନମୁନାରୁ ୫୧ଟି ‘ଡେଲ୍ଟା+ ଭେରିଆଣ୍ଟ୍’ ଚିହ୍ନଟ ହୋଇଛି। ‘ଡେଲ୍ଟା+ ଭେରିଆଣ୍ଟ୍’ଦ୍ବାରା ସଂକ୍ରମିତମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହାରାଷ୍ଟ୍ରର ଏବଂ ଅନ୍ୟ ଦୁଇଜଣ ମଧ୍ୟପ୍ରଦେଶର ବାସିନ୍ଦା।