ଆସନ୍ତାକାଲି ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ସ୍ଥଗିତ
ନୂଆଦିଲ୍ଲୀ : ପୁଣି କରୋନା ରୋକିଲା ମହାନଦୀ ଜଳ ବିବାଦ ମାମଲାର ଟ୍ରିବୁନାଲରେ ଶୁଣାଣି। ଆସନ୍ତାକାଲି ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣିକୁ ସ୍ଥଗିତ ରଖିଲେ ଟ୍ରିବୁନାଲ। ଏନେଇ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚିତ କରାଯାଇଛି। ନୋଟିସରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ପାଇଁ ଲକ୍ଡାଉନ୍ ଜାରି ରହିଛି। ଏହିଭଳି ଏକ ପରିସ୍ଥିତିରେ ଆସନ୍ତା ମେ ୮ ତାରିଖରେ ଥିବା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୦ ତାରିଖ ପରେ ଜଣାପଡ଼ିବ।
ଆସନ୍ତା ୨୦ ତାରିଖ ବେଳକୁ ଟ୍ରିବ୍ୟୁନାଲ ବିଚାରପତିଙ୍କ ଉପସ୍ଥିତି ତଥା ପାରିପାର୍ଶ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ତାରିଖ ଚୂଡାନ୍ତ କରାଯିବ। ଛତିଶଗଡ଼ ସରକାର ଏପ୍ରିଲ୍ ୧୦ରେ ହେବାକୁ ଥିବା ଶୁଣାଣିକୁ ଘୁଞ୍ଚାଇ ଦେବାପାଇଁ ଟ୍ରିବ୍ୟୁନାଲକୁ ଚିଠିଲେଖି ଅନୁରୋଧ କରିଥିଲେ। ଏହାପରେ ଶୁଣାଣିକୁ ସ୍ଥଗିତ ରହିଥିଲା। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ନିୟମିତ ବ୍ୟବଧାନରେ ମାମଲାର ଶୁଣାଣି କରୁଥିବାବେଳେ ଗତବର୍ଷ ମାର୍ଚ୍ଚରୁ କରୋନା କଟକଣା ଯୋଗୁଁ ଭର୍ଚୁଆଲ ଶୁଣାଣି ହେଉଛି। ବର୍ତ୍ତମାନ କରୋନା ଯୋଗୁଁ ଦୁଇଟି ଧାର୍ଯ୍ୟ ତାରିଖରେ ଶୁଣାଣି ସମ୍ଭବପର ହୋଇନାହିଁ। ମାମଲାର ଶୁଣାଣି ଆଗକୁ ଆହୁରି ବିଳମ୍ବ ହେବାର ଅନୁମାନ କରାଯାଇଛି। ଭିଡିଓ କନଫେରେନ୍ସିଂ ଜରିଆରେ ଜରିଆରେ ଉଭୟ ରାଜ୍ୟ ଆଲୋଚନା କରି ବୁଝାମଣା ପାଇଁ ଓଡିଶା ସରକାର ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟର ବୈଷୟିକ ଟିମର ୩ ଜଣ ସଦସ୍ୟ କୋଭିଡରେ ମୃତ୍ୟୁବରଣ କରିଛନ୍ତି।