ଓଡ଼ିଶାରେ ଆତ୍ମହତ୍ୟା ସ୍ଥିତି ଜାତୀୟ ହାର ଠାରୁ ଅଧିକ
ଗତବର୍ଷ ରାଜ୍ୟରେ ଆତ୍ମହତ୍ୟା କରିଛନ୍ତି ୫୬୫୧
କଟକ : ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ । ଏହି ପରିପ୍ରେକ୍ଷୀରେ ବିଶ୍ବସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁତାବକ ଓଡ଼ିଶାରେ ଆତ୍ମହତ୍ୟାର ସ୍ଥିତି ଜାତୀୟ ହାରଠାରୁ ଅଧିକ। ଦେଶରେ ଆତ୍ମହତ୍ୟା ହାର ୧୨% ଥିବାବେଳେ ଓଡ଼ିଶାରେ ୧୨.୩% ରହିଛି । ସାରାବିଶ୍ବରେ ବର୍ତ୍ତମାନ ପ୍ରତି ବର୍ଷ ୧୦ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଅର୍ଥାତ ପ୍ରତିଦିନ ୩ ହଜାର ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି। ଯେତେ ଲୋକ ଆତ୍ମହତ୍ୟାରେ ପ୍ରାଣ ହରାଉଛନ୍ତି, ତାହାର ୨୦ ଗୁଣରୁ ଅଧିକ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି।
ତଥ୍ୟ ଅନୁଯାୟୀ, ଗତବର୍ଷ ଓଡ଼ିଶାରେ ୫୬୫୧ ଜଣ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪୪୧୨ଜଣ ପୁରୁଷ ଓ ୧୨୩୯ ଜଣ ମହିଳା। କିନ୍ତୁ ଉଦ୍ବେଗର କାରଣ ହେଉଛି, ୨୦୨୦ ତୁଳନାରେ ୨୦୨୧ ମସିହାରେ ଓଡ଼ିଶାରେ ଆତ୍ମହତ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଓଡ଼ିଶାରେ ଯେତିକି ଲୋକ ଆତ୍ମହତ୍ୟା କରୁଛନ୍ତି, ସେଥିରୁ ୭୧ ପ୍ରତିଶତ ଲୋକ ବିଭିନ୍ନ ପାରିବାରିକ ସମସ୍ୟା ଯୋଗୁଁ ହିଁ ଆତ୍ମହତ୍ୟା କରୁଛନ୍ତି। ଯାହାକି ସାରାଦେଶରେ ସର୍ବାଧିକ। ପାରିବାରିକ କଳହ ଯୋଗୁଁ ଓଡ଼ିଶାରେ ୪୦୩୩ ଜଣ ଆତ୍ମହତ୍ୟା କରିଥିବା ବେଳେ ବୈବାହିକ ସମ୍ପର୍କରେ ତିକ୍ତତା ଯୋଗୁଁ ୧୩୪ ଜଣ ଆତ୍ମହତ୍ୟା କରିଛନ୍ତି। ସେହିଭଳି ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ୧୩୫ ଜଣ ଆତ୍ମହତ୍ୟା କରିଛନ୍ତି। ପ୍ରେମ ସମ୍ପର୍କରେ ବିଫଳତା ଯୋଗୁଁ ୧୩୨ ଜଣ ଆତ୍ମହତ୍ୟା କରିଛନ୍ତି ଓ ବିଭିନ୍ନ ରୋଗ ଯୋଗୁଁ ୯୧ ଜଣ ଆତ୍ମହତ୍ୟା କରିଛନ୍ତି।
ଅନ୍ୟପଟେ ଯୁବବର୍ଗରେ ଆତ୍ମହତ୍ୟା ବୃଦ୍ଧି ପାଇବାର ପ୍ରମୁଖ କାରଣ ହେଲା ପାଠପଢ଼ାର ଚାପ। ଅଭିଭାବକଙ୍କ ଆଶାନୁଯାୟୀ ପରୀକ୍ଷାରେ ଅଧିକ ନମ୍ବର ରଖିବାର ଚାପ, ପ୍ରେମ ସମ୍ପର୍କରେ ବିଫଳ, ଭଲ ଚାକିରି ନ ପାଇବା, ଚାକିରି କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ଆଦି କାରଣ ଯୋଗୁଁ ମୁଖ୍ୟତଃ ଯୁବବର୍ଗ ଆତ୍ମହତ୍ୟା କରୁଛନ୍ତି। ଏସ୍ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡା. ସତ୍ୟକାମ ମହାପାତ୍ରଙ୍କ କହିବା ଅନୁଯାୟୀ ଯୁବକଯୁବତୀ ମାନଙ୍କ ମଧ୍ୟରେ ଯେଭଳି ଅଧିକ ସକାରାତ୍ମକ ମନୋଭାବ ସୃଷ୍ଟି ହେବ, ସେ ପ୍ରକାର ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିଲେ ଆତ୍ମହତ୍ୟା ପ୍ରବଣତା ହ୍ରାସ ପାଇପାରିବ ।