ରାଜ୍ୟରେ ସୁଧୁରୁଛି କୋଭିଡ୍ ପରିସ୍ଥିତି, ହଟିଲା ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର : ଆଜିଠାରୁ ହଟିଲା ରାଜ୍ୟର ସହରାଞ୍ଚଳରେ ବଳବତ୍ତର ଥିବା ନାଇଟ୍ କର୍ଫ୍ୟୁ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଏନେଇ ଜନତାଙ୍କ ଜୀବନଜୀବିକା ଧୀରେ ଧୀରେ ସୁଧୁରିବାରେ ଲାଗିଛି। ତେବେ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜନିତ ସମସ୍ୟାକୁ ଆଜି ରାଜ୍ୟ ସରକାର ଉଚ୍ଛେଦ କରିବା ସହ ଏନେଇ ଆଜିଠାରୁ ଲାଗୁ ମଧ୍ୟ କରିଛନ୍ତି। ତେବେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ପୂର୍ବବତ୍ ଜାରି ରଖା ଯାଇଛି। ରାଜ୍ୟରେ କୋଭିଡ୍ ପରିସ୍ଥିତି ସୁଧୁରୁଥିବାରୁ ସରକାର ଏହି ନିଷ୍ପତି ନେଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ହୋଇଥିଲା । ରାଜ୍ୟରେ ତୃତୀୟ ଲହର ପରେ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ପ୍ରଥମେ ରାତି ୯ରୁ ସକାଳ ୫ ଓ ପରେ ରାତି ୧୦ରୁ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ ସମସ୍ତ ସହରାଞ୍ଚଳରେ ଲଗାଇଥିଲେ । ଏବେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧିନ ଥିବାରୁ ସରକାର ଧୀରେଧୀରେ କଟକଣାରେ କୋହଳ କରୁଛନ୍ତି।