ଅମେଠିରେ ଏକେ-୨୦୩ ରାଇଫଲ୍ ନିର୍ମାଣ ପାଇଁ ୫,୧୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ଦେବା ଲାଗି ରୁଷ୍ ସହାୟତାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ‘ଏକେ-୨୦୩ ଆସଲ୍ଟ୍ ରାଇଫଲ୍’ ଉତ୍ପାଦନ ନିମିତ୍ତ ପ୍ରକଳ୍ପକୁ ସରକାର ଅନୁମୋଦନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଶିଖର ବୈଠକ ଲାଗି ଡିସେମ୍ବର ୬ ତାରିଖ ଦିନ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଦୁଇଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି ବୋଲି ଏ ସଙ୍କ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ ଆଜି କହିଛନ୍ତି । ଜଣେ ଅଧିକାରୀ କହିଛନ୍ତି, ଏହି ମଞ୍ଜୁରି ହେଉଛି ବୈଶ୍ୱିକ କ୍ରୟରୁ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକୁ ‘ମେକ୍ ଇନ୍ ଇଣ୍ଡିଆ’କୁ ସ୍ଥାନାନ୍ତରଣ କରାଯିବାର ପ୍ରତିଫଳନ । ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ନିବିଡ଼ର କରିବ । ତିନି ଦଶନ୍ଧିରୁ ଅଧିକ ହେବ ସେନାରେ ବ୍ୟବହାର ହେଉଥିବା ‘ଇନ୍ସାସ୍ ରାଇଫଲ୍’ ସ୍ଥାନରେ ‘ଏକେ-୨୦୩ ଆସଲ୍ଟ୍ ରାଇଫଲ୍’ ବ୍ୟବହାର କରାଯିବ ।
ସେ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରକଳ୍ପ ବହୁ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ବ୍ୟବସାୟ ସୁଯୋଗ ଯୋଗାଇ ଦେବ । ସେହିପରି, ଅନ୍ୟ ପ୍ରତିରକ୍ଷା କମ୍ପାନିଗୁଡ଼ିକ କଂଚାମାଲ୍ ଏବଂ ଉପକରଣ ଯୋଗାଇ ଦେବେ, ଯାହା ନୂତନ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବ । ଉପରୋକ୍ତ ପ୍ରକଳ୍ପର ନାଁ ରଖାଯାଇଛି ‘ଇଣ୍ଡୋ-ରଷିଆନ୍ ରାଇଫଲ୍ ପ୍ରାଇଭେଟ୍ ଲିମିଟେଡ୍’ । ‘ଆଡ୍ଭାନ୍ସଡ୍ ଉଇପନ୍ସ୍ ଆଣ୍ଡ୍ ଇକ୍ୱିପ୍ମେଂଟ୍ ଇଣ୍ଡିଆ ଲିମିଟେଡ୍ ଆଣ୍ଡ୍ ମ୍ୟୁନିସନ୍ସ୍ ଇଣ୍ଡିଆ ଲିମିଟେଡ୍’ ଏବଂ ରୁଷ୍ର ‘ରୋସୋବୋରୋନେକ୍ସପୋର୍ଟ’ ଏବଂ ‘କାଲାସନିକୋଭ୍’ଦ୍ୱାରା ଏହି କମ୍ପାନି ସ୍ଥାପନ କରିଛନ୍ତି ।