ବାଲେଶ୍ୱର : ତଳିଆ ଅଞ୍ଚଳରୁ ଲୋକ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ
- ବାତ୍ୟା ମୁକାବିଲା ପ୍ରସ୍ତୁତି ପରିଚାଳନା ନେଇ ଜିଲାପାଳଙ୍କ ଦ୍ୱାରା ସାମ୍ବାଦିକ ସାକ୍ଷାତକାର
ବାଲେଶ୍ୱର : ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଦିନକ ପରେ ମଇ ୨୫ ଓ ୨୬ତାରିଖରେ ପ୍ରବଳ ବର୍ଷା ଓ ପବନ ନେଇ ରୂପ ନେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟାରେ ବାଲେଶ୍ୱର ଜିଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି । ଏହି ପରିପ୍ରେକ୍ଷୀରେ ଜିରୋ କାଜୁଆଲିଟିକୁ ଲକ୍ଷ୍ୟ ରଖି ଜିଲା ପ୍ରଶାସନ ତରଫରୁ ବାତ୍ୟାର ମୁକାବିଲା ପାଇଁ କିପରି ପ୍ରସ୍ତୁତି ରହିଛି ସେ ନେଇ ସୋମବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସଦ୍ଭାବନା ସଭାଗୃହରେ ଆୟୋଜିତ ଏକ ସାକ୍ଷାତକାରରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହିକ୍ରମରେ ଜଣାଇଥିଲେ କି ତଳିଆ ଅଞ୍ଚଳରୁ ଲୋକ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ସେମାନଙ୍କ ପାଇଁ ୧୨ଶହଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ବିଶୋଧନ କରାଯିବା ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପକରଣ ସହ ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରେ ୧୪୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ପ୍ରତି କେନ୍ଦ୍ର ପାଇଁ ୩ଜଣ ଲେଖାଏଁ ନୋଡ଼ାଲ ଅଧିକାରୀ ନିଯୁକ୍ତି କରାଯିବା ସହ ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ନିୟୋଜିତ କରାଯାଇଛି । ଆସନ୍ନ ପ୍ରସବା ୬ଶହ ମହିଳାଙ୍କୁ ନିକଟସ୍ଥ ପିଏଚ୍ସି ବା ସିଏଚ୍ସିକୁ ସ୍ଥାନାନ୍ତରଣ ପାଇଁ ଚିହ୍ନଟ କରାଯାଇଛି ।
ବିଶେଷ କରି କଚ୍ଚା ଓ ଆଜବେଷ୍ଟସ ଛପର ଥିବା ଘରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ମାଇକ୍ ଦ୍ୱାରା ନିକଟସ୍ଥ ଆଶ୍ରୟସ୍ଥଳୀକୁ ଯିବା ପାଇଁ ଘୋଷଣା ମଧ୍ୟ କରାଯାଉଛି । ବାତ୍ୟା ସମୟରେ ଉଦ୍ଧାରଜନିତ କାର୍ଯ୍ୟ ପାଇଁ ୭ଟି ଏନଡିଆରଏଫ, ୧୮ଟି ଅଗ୍ନିଶମ ଓ ଓଡ୍ରାଫ୍ ଦଳ ପହଞ୍ôଚସାରିଛି । ଚିଙ୍ଗୁଡ଼ି ଘେରିମାନଙ୍କରେ କାମ କରୁଥିବା ବାହାର ଜିଲା କିମ୍ବା ଏହି ଜିଲାର ଶ୍ରମିକ ତଥା ମାଲିକମାନେ ମଧ୍ୟ ନିକଟସ୍ଥ ଆଶ୍ରୟସ୍ଥଳୀ ବା କଂକ୍ରିଟ୍ ଛାତ ଥିବା ମଜଭୁତ ଘରେ ଆଶ୍ରୟ ନେବା ପାଇଁ ଜିଲାପାଳ ସାମ୍ବାଦିକମାନଙ୍କ ଜରିଆରେ ଅନୁରୋଧ କରିଥିଲେ । ସେହିପରି ସହରାଞ୍ଚଳ କିମ୍ବା ବ୍ଲକସ୍ତରରେ ଥିବା ଦୋକାନମାନଙ୍କରେ ଲାଗିଥିବା ହୋର୍ଡ଼ିଂ, ସାଇନେଜ ଆଦିକୁ କାଢ଼ି ଦୋକାନ ଭିତରେ ରଖିଦେବା ପାଇଁ ପରାମର୍ଶ ଦେଇଥିଲେ । ବାତ୍ୟା ସମୟରେ ମଜବୁତ ଛାତ ଘରେ ଆଶ୍ରୟ ନେବା ଏବଂ ଆଦୌ ଘରୁ ନ ବାହାରିବାକୁ ସେ ଅନୁରୋଧ କରିଥିଲେ । ବାତ୍ୟା ପୂର୍ବରୁ ପାଣି ମହଜୁଦ ରଖିବାକୁ ମଧ୍ୟ ଜଣାଇଥିଲେ । ସର୍ବୋପରି ବାତ୍ୟା ମୁକାବିଲାରେ ଲୋକ ସ୍ଥାନାନ୍ତରଣ, ବାତ୍ୟା ସମୟରେ ଓ ପରେ ଉଦ୍ଧାର, ରିଲିଫ୍ ଆଦି ପରିଚାଳନାଗତ କାର୍ଯ୍ୟ ତଥା କୋଭିଡ୍ ମହାମାରୀ ନିୟମ ପାଳନ ଦିଗରେ ଜନସାଧାରଣ ଓ ସାମ୍ବାଦିକମାନଙ୍କର ସହଯୋଗ କାମନା କରିଥିଲେ ।