ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ର ଫାଇନାଲ ପାଇଁ ଅମ୍ପାୟରଙ୍କ ନାମ ଘୋଷଣା
ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରେ ହେବାକୁ ଥିବା ଐତିହାସିକ ଟେଷ୍ଟ ମ୍ୟାଚ୍ ପାଇଁ ପଡିଆ ଅମ୍ପାୟର, ତୃତୀୟ ଅମ୍ପାୟର ଓ ଚତୁର୍ଥ ଅମ୍ପାୟରଙ୍କ ନାମ ଘୋଷଣା ହୋଇଛି। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ର ଫାଇନାଲ୍ ମ୍ୟାଚ୍ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ। ଏହି ହାଇଭୋଲଟେଜ୍ ମୁକାବିଲାରେ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗବର୍ଥ ଓ ମାଇକେଲ୍ ଗଭ ପଡିଆ ଅମ୍ପାୟରର ଦାୟିତ୍ଵ ତୁଲାଇବେ।
ଇଂଲଣ୍ଡର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ କ୍ରିସ୍ ବ୍ରଡ ଏହି ପ୍ରତିଷ୍ଠିତ ମୁକାବିଲାରେ ଆଇସିସିର ମ୍ୟାଚ୍ ରେଫରୀ ଦାୟିତ୍ଵରେ ରହିବେ। ଏହିପରି ଆଇସିସି ଏଲିଟ୍ ପ୍ୟାନେଲର ସଦସ୍ୟ ରିଚାର୍ଡ କ୍ୟାଟଲବ୍ରୋ ଟିଭି ଅମ୍ପାୟର ରହୁଥିବା ବେଳେ ଏମିରେଟ୍ସ ଆଇସିସି ଅନ୍ତରାଷ୍ଟ୍ରୀୟ ଅମ୍ପାୟର ପ୍ୟାନେଲର ଏଲେକ୍ସ ଓ୍ଵଫ ଚତୁର୍ଥ ଅମ୍ପାୟର ଭୂମିକାରେ ରହିବେ। ଆଇସିସିର ବରିଷ୍ଠ ପ୍ରବନ୍ଧକ(ଅମ୍ପାୟର ଆଣ୍ଡ ରେଫରୀ) ଆଡ୍ରିୟାନ ଗ୍ରିଫିଥ କହିଛନ୍ତି, ଆମେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ଅନୁଭବୀ ଅମ୍ପାୟରଙ୍କୁ ନିଯୁକ୍ତ କରିବା ନେଇ ପ୍ରସନ୍ନ। ସେ କହିଛନ୍ତି, ମହାମାରୀ ମଧ୍ୟରେ ଏସବୁ କିଛି ସହଜ ନୁହେଁ। ତଥାପି ଆମେ ଭାଗ୍ୟଶାଳୀ ଯେ, ଏହି ପ୍ରତିଷ୍ଠିତ ମୁକାବିଲା ପାଇଁ ଆମ ପାଖରେ ଏମିତି ଅଧିକାରୀଙ୍କ ସମୂହ ରହିଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଲଗାତାର ପଡିଆରେ ଭଲ କାମ କରି ଆସିଛନ୍ତି। ଆମେ ସମସ୍ତ ଅଧିକାରୀଙ୍କୁ ଶୁଭକାମନା ଜଣାଉଛୁ। ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲ ପାଇଁ ଭାରତୀୟ ଦଳ ସାଉଥମ୍ପଟନ ପହଞ୍ଚି ସାରିଛି ଏବଂ ଅଭ୍ୟାସ୍ରେ ଜୁଟି ଯାଇଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ୍ ଡ୍ର ରହିଥିବା ବେଳେ ଦ୍ଵିତୀୟ ଟେଷ୍ଟ ଜୁନ ୧୦ରେ ଖେଳାଯିବ।