ଆଜି ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଦଳୀୟ ପ୍ରଚାର କାର୍ଯ୍ୟରେ ହେବେ ସାମିଲ
ଭୁବନେଶ୍ବର : ନିର୍ବାଚନ ପ୍ରଚାର ପାଇଁ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତ କରି ଦଳୀୟ ପ୍ରଚାର କାର୍ଯ୍ୟରେ ସାମିଲ ହେବେ। ସୋମବାର ପୂର୍ବାହ୍ନ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଏବଂ ମଧ୍ୟାହ୍ନ ୧୨ଟା ୩୦ରେ ନବରଙ୍ଗପୁରର ଚିକିଲି ଛକ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ।
ବାୟୁସେନାର ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ଗତ ରବିବାର ରାତି ପ୍ରାୟ ୧୦ଟା ୩୫ରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ମୋଦୀଙ୍କୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଓଡ଼ିଶାକୁ ସ୍ବାଗତ କରାଯାଇଥିଲା। ମୋଦୀ ମଧ୍ୟ ହାତରେ ଏଲ୍ଇଡି ‘ପଦ୍ମ ଫୁଲ’ ଦେଖାଇ ଅଭିଭାଦନ ଜଣାଇଥିଲେ। ଏହାପରେ ସ୍ବତନ୍ତ୍ର କାରକେଡ୍ରେ ରାଜଭବନକୁ ଯାଇଥିଲେ। ବିମାନବନ୍ଦରରୁ ରାଜଭବନ ଯିବା ସମୟରେ ହଜାର ହଜାର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷା କରିଥିବା ଦେଖାଯାଇଥିଲା।
ସୂଚନା ଯେ, ପୁଣି ଠାରେ ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ଏହି ପରିପ୍ରେକ୍ଷୀରେ ରାଜଧାନୀରେ କରିବେ ବିଶାଳ ରୋଡ଼ ସୋ। ଭୁବନେଶ୍ୱରର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, ଉତ୍ତର ଓ ମଧ୍ୟ ଭୁବନେଶ୍ୱର କ୍ଷେତ୍ରରେ ହେବ ପ୍ରଧାନମନ୍ତ୍ରୀଙ୍କ ରାଲି। ଏହାସହ ୧୧ ତାରିଖରେ ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର କରିବେ ମୋଦି।