ଆଜି ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ଏକ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାମାନଙ୍କୁ କୌଶଳ ଓ ଅତିରିକ୍ତ କୌଶଳ ପ୍ରଶିକ୍ଷଣ ଦିଆଯିବାକୁ ଲକ୍ଷ୍ୟ
ନୂଆଦିଲ୍ଲୀ : କରୋନା ସହିତ ଲଢ଼େଇ ଜାରି ରଖିଥିବା ସମ୍ମୁଖ ଯୋଦ୍ଧାଙ୍କ ଲାଗି ସ୍ୱତନ୍ତ୍ର ଭାବେ ଏକ କ୍ୟାସ କୋର୍ସ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-୧୯ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ । ୨୬ଟି ରାଜ୍ୟରେ ଥିବା ୧୧୧ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆୟୋଜନ କରାଯିବ । କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଂଶଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମ ଏକ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାମାନଙ୍କୁ କୌଶଳ ଓ ଅତିରିକ୍ତ କୌଶଳ ପ୍ରଶିକ୍ଷଣ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରଶିକ୍ଷଣରେ କୋଭିଡ ଯୋଦ୍ଧାମାନଙ୍କୁ ୬ଟି ଭିନ୍ନ ଭିନ୍ନ ଅନୁକୂଳ ଭୂମିକାରେ ପ୍ରଶିକ୍ଷଣ ଦିଆଯିବ । ସେଗୁଡ଼ିକ ହେଲା ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସହାୟତା, ଜରୁରିକାଳୀନ ଚିକିତ୍ସା ସହାୟତା, ନମୁନା ସଂଗ୍ରହ ସହାୟତା ଏବଂ ଚିକିତ୍ସା ଉପକରଣ ସହାୟତା । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୩.୦ର କେନ୍ଦ୍ରୀୟ ଉପାଦାନ ଅନ୍ତର୍ଗତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ମୋଟ ୨୭୬ କୋଟି ଟଙ୍କା ବ୍ୟୟ କରାଯିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବର୍ତର୍ମାନ ଓ ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବା ଲାଗି ଏହି କାର୍ଯ୍ୟକ୍ରମ ଦକ୍ଷ ଅଣଚିକିତ୍ସା ସ୍ୱାସ୍ଥ୍ୟସେବା କର୍ମୀମାନଙ୍କୁ ସୃଷ୍ଟି କରିବ ।