ଅଯୋଧ୍ୟା ବିକାଶ ଯୋଜନା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
- ଆଧ୍ୟାତ୍ମିକ କ୍ଷେତ୍ର, ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ଏବଂ ଏକ ଦୀର୍ଘସ୍ଥାୟୀ ସ୍ମାର୍ଟ ସିଟି ଭାବେ ଅଯୋଧ୍ୟାର ବିକାଶ କରାଯିବ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାର ବିକାଶ ଯୋଜନା ସମୀକ୍ଷା କରିଛନ୍ତି । ଏହି ଅବସରରେ ଉତ୍ତର ପ୍ରଦେଶର ସରକାରଙ୍କ ଅଧିକାରୀମାନେ ଏକ ଉପସ୍ଥାପନା କରିଥିଲେ ଯେଉଁଥିରେ ଅଯୋଧ୍ୟା ବିକାଶର ବିଭିନ୍ନ ଦିଗକୁ ପ୍ରଦର୍ଶିତ କରାଯାଇଥିଲା । ଅଯୋଧ୍ୟାର ବିକାଶ ପରିକଳ୍ପନା ଏକ ଆଧ୍ୟାତ୍ମିକ କେନ୍ଦ୍ର, ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ଏବଂ ଦୀର୍ଘସ୍ଥାୟୀ ସ୍ମାର୍ଟ ସିଟି ରୂପରେ କରାଯାଉଛି । ଅଯୋଧ୍ୟାକୁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଆଗାମୀ ଓ ପ୍ରସ୍ତାବିତ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ବୈଠକରେ ବିମାନ ବନ୍ଦର, ରେଳ ଷ୍ଟେସନର ସମ୍ପ୍ରସାରଣ, ବସ୍ ଷ୍ଟେସନ, ସଡ଼କ ଓ ରାଜପଥ ଭଳି ବିଭିନ୍ନ ମୌଳିକ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ଗ୍ରୀନଫିଲ୍ଡ ଟାଉନସିପ୍? ବିଷୟରେ ବିସ୍ତାର ପୂର୍ବକ ବିଚାରବିମର୍ଶ କରାଯାଇଥିଲା, ଯେଉଁଥିରେ ଶ୍ରଦ୍ଧାଳୁମାନଙ୍କ ରହିବା ଲାଗି ସୁବିଧା, ଆଶ୍ରମ, ମଠ, ହୋଟେଲ ଏବଂ ବିଭିନ୍ନ ରାଜ୍ୟଗୁଡ଼ିକର ଭବନ ନିମନ୍ତେ ସ୍ଥାନ ସାମିଲ ରହିଛି । ଏଠାରେ ପର୍ଯ୍ୟଟନ ସହାୟତା କେନ୍ଦ୍ର ଓ ବିଶ୍ୱସ୍ତରୀୟ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯିବ । ସରଯୁ ନଦୀ ଏବଂ ଏହାର ଘାଟଗୁଡ଼ିକର ଆଖପାଖରେ ମୌଳିକ ଭିତ୍ତିଭୂମିର ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ସରଯୁ ନଦୀରେ ପରିଭ୍ରମଣ ପରିଚାଳନା (କ୍ରୁଜ୍ ଅପରେସନ) ଏକ ନିୟମିତ ସୁବିଧା ଭାବେ ପ୍ରଦାନ କରାଯିବ । ସାଇକେଲ ଚାଳକ ଓ ପାଦରେ ଚାଲିବାକୁ ଥିବା ଲୋକମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ଉପଲବ୍ଧତା ସୁନିଶ୍ଚିତ କରି ସହର ବିକଶିତ କରାଯିବ । ସ୍ମାର୍ଟ ସିଟିର ମୌଳିକ ଭିତ୍ତିଭୂମି ଉପଯୋଗ କରି ଆଧୁନିକ ଉପାୟରେ ଯାତାୟାତ ପରିଚାଳନା ମଧ୍ୟ କରାଯିବ ।
ପ୍ରଧାନମନ୍ତ୍ରୀ ଅଯୋଧ୍ୟାକୁ ଏକ ଏପରି ସହର ଭାବେ ବର୍ଣ୍ଣନା କରିଥିଲେ ଯାହା ପ୍ରତ୍ୟେକ ଭାରତୀୟମାନଙ୍କ ସାଂସ୍କୃତିକ ଚେତନାରେ ଅଙ୍କିତ ହୋଇ ରହିଛି । ସେ କହିଥିଲେ ଯେ ଅଯୋଧ୍ୟା ଆମ ଶ୍ରେଷ୍ଠ ପରମ୍ପରା ଏବଂ ଆମର ବିକାଶମୂଳକ ପରିବର୍ତ୍ତନକୁ ପ୍ରକଟ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଯୋଧ୍ୟା ଉଭୟ ଆଧ୍ୟାତ୍ମିକ ଓ ଭବ୍ୟ ସହର । ଏହି ସହରର ମାନବୀୟ ଲୋକାଚାର ଭବିଷ୍ୟତର ମୌଳିକ ଭିତ୍ତିଭୂମି ସହିତ ମେଳ ଖାଇବା ଉଚିତ୍, ଯାହାକି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କ ସହିତ ସମସ୍ତଙ୍କ ପାଇଁ ଲାଭକାରୀ ହୋଇଥିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ପିଢ଼ି ସେମାନଙ୍କ ଜୀବନରେ ଅତିକମରେ ଥରେ ଅଯୋଧ୍ୟା ବୁଲି ଆସିବା ଲାଗି ଇଚ୍ଛାବ୍ୟକ୍ତ କରିବା ଉଚିତ୍ ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟ ଭବିଷ୍ୟତରେ ଅଯୋଧ୍ୟାରେ ବିକାଶ କାର୍ଯ୍ୟ ଜାରି ରହିବ । ଏଥିସହିତ ଅଯୋଧ୍ୟାରେ ପ୍ରଗତିକୁ ନୂତନ ଦିଗ ଦେବା ସମୟ ଏବେ ଆସିଯାଇଛି । ସେ କହିଥିଲେ ଯେ ଅଯୋଧ୍ୟାର ପରିଚୟ ଉତ୍ସବ ପାଳନ କରାଯାଉ ଏବଂ ଅଭିନବ ଉପାୟ ସହିତ ଏହାର ସାଂସ୍କୃତିକ ଜୀବନ୍ତତାକୁ ବଜାୟ ରଖାଯାଉ, ସେଥିପାଇଁ ଆମେ ସାମୂହିକ ପ୍ରୟାସ କରୁଛୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ଭାବେ ଭଗବାନ ଶ୍ରୀରାମଙ୍କ ନିକଟରେ ଲୋକମାନଙ୍କୁ ପାଖକୁ ଆଣିବାର କ୍ଷମତା ରହିଥିଲା, ସେହିପରି ଅଯୋଧ୍ୟାର ବିକାଶ କାମ ସୁସ୍ଥ ଜନଭାଗିଦାରୀ ଭାବନା ନେଇ ପରିଚାଳିତ ହେବା ଉଚିତ୍, ବିଶେଷ କରି ଯୁବକମାନଙ୍କ ଦ୍ୱାରା । ସେ ଏହି ସହରର ବିକାଶରେ ପ୍ରତିଭାଶାଳୀ ଯୁବକମାନଙ୍କ କୌଶଳର ଲାଭ ଉଠାଇବାକୁ ଆହ୍ୱାନ କରିଥିଲେ । ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୋର୍ଯ୍ୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦିନେଶ ଶର୍ମା ଓ ଉତ୍ତର ପ୍ରଦେଶ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।