ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା, ଆଜି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନକୁ ସ୍ୱାଗତ କରି ଭାରତର ରାଷ୍ଟ୍ରପତି କହିଛନ୍ତି ଯେ ଆମର ସହଯୋଗପୂର୍ଣ୍ଣ ଇତିହାସ, ଭାଷା ଏବଂ ସଂସ୍କୃତି ଆମକୁ ପରସ୍ପର ସହ ଯୋଡିଥାଏ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବହୁତ ଉନ୍ନତି ହୋଇଛି । ସେ କହିଛନ୍ତି ଯେ ବାଂଲାଦେଶ ସ୍ୱାଧୀନତାର ୫୦ତମ ବର୍ଷ ତଥା ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀକୁ ଦୁଇ ଦେଶ ଏକତ୍ର ପାଳନ କରିବା ପ୍ରକୃତରେ ସ୍ୱତନ୍ତ୍ର ଅଟେ । ଏହି ଐତିହାସିକ ଉତ୍ସବରେ ଭାଗ ନେବାକୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାଂଲାଦେଶ ସହ ଭାରତର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦର୍ଶାଉଛି ।
ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ବାଂଲାଦେଶ ଏହାର ଲୋକଙ୍କ ସାମାଜିକ-ଅର୍ଥନୈତିକ ସମୃଦ୍ଧିରେ ବହୁତ ସଫଳତା ହାସଲ କରିଛି । ସେ ଆଶ୍ୱାସନା ପ୍ରଦାନ କରିଛନ୍ତି ଯେ ବାଂଲାଦେଶର ବିକାଶ ଯାତ୍ରାରେ ଭାରତ ଏକ ନିର୍ଭରଯୋଗ୍ୟ ସହଭାଗୀ ହେବ । ରାଷ୍ଟ୍ରପତି କହିଛନ୍ତି ଯେ ଆମର ସମ୍ପର୍କ ସବୁବେଳେ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ । ମହାମାରୀ ଏବଂ ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତି ପରିପ୍ରେକ୍ଷୀରେ ବିଶ୍ୱ ସଙ୍କଟର ମୁକାବିଲା ପାଇଁ ଭାରତ ଏବଂ ବାଂଲାଦେଶ ଅର୍ଥନୈତିକ ଦୃଷ୍ଟିରୁ ଅଧିକ ମାତ୍ରାରେ ସଂଯୁକ୍ତ ହେବା ଆବଶ୍ୟକ । ସେ କହିଛନ୍ତି ଯେ ଏହି ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ପରିପକ୍ୱ ହେବ ଏବଂ ବିକାଶକୁ ତ୍ୱରାନ୍ୱିତ କରାଯାଇପାରିବ ।