ରାଜଘାଟରେ ସର୍ବଧର୍ମ ପ୍ରାର୍ଥନା ସଭା! ଗାନ୍ଧିଜୀଙ୍କ ସମାଧୀସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କଲେ ରାଷ୍ଟ୍ରପତି
ନୂଆଦିଲ୍ଳୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୭୪ତମ ପୁଣ୍ୟତିଥିରେ କୃତଜ୍ଞ ରାଷ୍ଟ୍ର ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆଜିର ଦିନକୁ ମଧ୍ୟ ସହିଦ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି । ୧୯୪୮ ମସିହା ଆଜିର ଦିନରେ ଆତତାୟୀର ଗୁଳିରେ ବାପୁ ପ୍ରାଣ ତ୍ୟାଗ କରିଥିଲେ । ରବିବାର ସହିଦ ଦିବସ ଉପଲକ୍ଷେ ଦିନ ୧୧ଟାବେଳେ ଦେଶବାସୀ ଦୁଇମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଗାନ୍ଧିଜୀଙ୍କ ସମାଧୀସ୍ଥଳ ରାଜଘାଟରେ ଏହି ଅବସରରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଘାଟ ଯାଇ ଗାନ୍ଧିଜୀଙ୍କ ସମାଧୀସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ସହରାଂଚଳ ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ ହରଦୀପ ସିଂହ ପୁରୀ, ସେନାବାହିନୀ ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ, ନୌବାହିନୀ ମୁଖ୍ୟ ଆଡମିରାଲ ଆର୍. ହରିକୁମାର ଏବଂ ବିମାନବାହିନୀ ମୁଖ୍ୟ ଏୟାରଚିଫ୍ ମାର୍ଶଲ ବିବେକରାମ ଚୌଧୁରୀ, ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଜଘାଟ ଯାଇ ଜାତିର ପିତାଙ୍କ ସମାଧୀସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।