କ୍ଷୁଦ୍ର ଚଳଚ୍ଚିତ୍ର ‘କୋଟିଆ ଗୁରୁ’ର ପୋଷ୍ଟର ଉନ୍ମୋଚିତ
କଟକ : ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ଚର୍ଚ୍ଚିତ ଗ୍ରାମ କୋଟିଆ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘କୋଟିଆ ଗୁରୁ’ର ପୋଷ୍ଟର ସ୍ଥାନୀୟ ଶେଖବଜାର ଲାଲମଠ ପରିସରରେ ଆଜି ଉନ୍ମୋଚିତ ହୋଇଯାଇଛି । ସିଲଭର ସିଟି ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲର ନିର୍ଦ୍ଦେଶକ ନାଟ୍ୟକାର ନବକିଶୋର ଦାସ ଏହାକୁ ଉନ୍ମୋଚନ କରିଥିଲେ । ଏନ.ଏସ. ଫିଲ୍ମସ୍ ବ୍ୟାନରରେ ନିର୍ମଳ କୁମାର ସାମନ୍ତରାୟଙ୍କ ପ୍ରଯୋଜିତ ଓ ତୋଫାନ ମହାନ୍ତି ନିର୍ଦ୍ଦେଶିତ ଏହି କୋଟିଆ ଗୁରୁ ସିନେମାର ଏକ ୮ ବର୍ଷର ପ୍ରାଇମେରୀ ସ୍କୁଲ ଛାତ୍ର ଆପଣା ଶିକ୍ଷାଗତ ସମସ୍ୟା ସହ ଅବହେଳିତ କୋଟିଆ ଗ୍ରାମର ବିକାଶ ନିମନ୍ତେ ସ୍ୱହସ୍ତ ଲିଖିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବାକୁ ଆସି ନିଖୋଜ ହୋଇଯାଇଥିବା କାହାଣୀ ପ୍ରଦର୍ଶିତ ହୋଇଛି । କାହାଣୀର ନାୟକ ୮ ବର୍ଷର ବାଳକ କୋଟିଆ ଗୁରୁ ତା’ ଗ୍ରାମରୁ ୭୦୦ କିଲୋମିଟର ରାସ୍ତା ସାଇକେଲ ଚଳାଇ ରାଜଧାନୀ ଭୁବନେଶ୍ୱରକୁ ଆସୁଥିବା ଦୃଶ୍ୟାବଳୀକୁ ନେଇ ୨୬ ମିନିଟ୍ ଅବଧିର ଏହି ସିନେମାଟି ସମୃଦ୍ଧ । ଗୁରୁପ୍ରୀତ ସାମନ୍ତରାୟ ନାୟକ ଭୂମିକାରେ ଅଭିନୟ କରିଥିଲା ବେଳେ ଚୈାଧୁରୀ ବିକାଶ ଦାସ, ଭାସ୍ୱତୀ ବସୁ, ସୁରଜ ମହାପାତ୍ର, ପ୍ରିୟଙ୍କା ଲେଙ୍କା, ମଳୟ ରାଉତ ଓ ସ୍ୱର୍ଣ୍ଣଲତା ହାତୀ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି । ଆନ୍ତର୍ଜାତିକ ଶିଶୁ ମହୋତ୍ସବକୁ ଦୃଷ୍ଟିରେ ରଖି କୋଟିଆ ଗୁରୁ ନିର୍ମାଣ ହୋଇଥିବା କାର୍ଯ୍ୟ ନିର୍ବାହୀ ପ୍ରଯୋଜକ ନିହାର ରଂଜନ ସାମନ୍ତରାୟ କହିଛନ୍ତି ।