ସରିଲା ମତଦାନ : ୮୮% ଭୋଟ ସହ ନିର୍ବାଚନ ଜିତିଲେ ଭ୍ଲାଦିମିର ପୁଟିନ, ୨୦୩୦ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି

ମସ୍କୋ : ରୁଷରେ ସରିଲା ତିନି ଦିନିଆ ମତଦାନ । ଏହା ସରିବା ପରେ ହୋଇଥିବା ଭୋଟ୍ ଗଣନାରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ମୋଟ ଭୋଟ୍ ମଧ୍ୟରୁ ୮୭.୯୭% ଭୋଟ୍ ମିଳିଛି । ତେଣୁ ପୁଟିନ ନିର୍ବାଚନରେ ଜିତିଛନ୍ତି ଏବଂ ୨୦୩୦ ପର୍ଯ୍ୟନ୍ତ ସେ ରୁଷର ରାଷ୍ଟ୍ରପତି ହୋଇ ରହିବେ ।
ଗତ ରବିବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପ୍ରକ୍ରିୟା ଶେଷ ହୋଇଥିଲା । ମୋଟ ୧୧.୪୨ କୋଟି ଭୋଟରଙ୍କ ମଧ୍ୟରୁ ୭୨.୮୪ ପ୍ରତିଶତ ଲୋକ ତିନି ଦିନରେ ଭୋଟ୍ ଦେଇଥିଲେ । ଏହାର ପ୍ରତିକ୍ରିୟାରେ ଆମେରିକା କହିଛି ଯେ ରୁଷରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ, ତେଣୁ ଏହି ଫଳାଫଳ ଅପ୍ରତ୍ୟାଶିତ ନୁହେଁ ।
ସୂଚନା ଯେ, ୧୯୯୯ ମସିହାରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଭାବରେ ପୁଟିନ ରୁଷରେ କ୍ଷମତାରେ ଅଛନ୍ତି । ଯେତେବେଳେ ସ୍ୱାସ୍ଥ୍ୟ ଖରାପ ହେତୁ ବୋରିସ୍ ୟେଲତସିନ୍ ତାଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ, ସେବେ ରୁଷ ନିଜର ଅସ୍ତିତ୍ୱ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା । ଏକ ସମୟରେ ପୁଟିନ ରୁଷକୁ ଆମେରିକାର ନେତୃତ୍ୱାଧୀନ ସାମରିକ ସଂଗଠନ ନାଟୋର ଏକ ଅଂଶ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲେ । କିନ୍ତୁ ଯେତେବେଳେ ସେ ଅନୁଭବ କଲେ ଯେ ରୁଷକୁ ନାଟୋରେ ଆଶା କରାଯାଉଥିବା ସମ୍ମାନ ମିଳିବ ନାହିଁ, ସେତେବେଳେ ପୁଟିନ ନିଜ ଦେଶରେ ପୁରୁଣା ଗୌରବ ଫେରାଇ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କଲେ । ମାତ୍ର ଦଶ ବର୍ଷ ମଧ୍ୟରେ ସେ ରୁଷର ଚେହେରା ବଦଳାଇ ସାମରିକ ଶକ୍ତିରେ ଆମେରିକାକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କଲେ ।